କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି ଅଷ୍ଟ୍ରେଲିଆ ଟେଷ୍ଟ ଦଳକୁ ଫେରିଛନ୍ତି ବାମହାତୀ ବ୍ୟାଟର ନିକ ମ୍ୟାଡିନସନ। ତାଙ୍କ ସହ ଅନକ୍ୟାପ୍ଡ ଉଇକେଟକିପର-ବ୍ୟାଟର ସାମ ହାର୍ପରଙ୍କୁ ମଧ୍ୟ ଟେଷ୍ଟ ସ୍କ୍ବାଡ୍‌ରେ ସାମିଲ କରାଯାଇଛି।
ନିକ ମ୍ୟାଡିନସନ ୨୦୧୬ରେ ଅଷ୍ଟ୍ରେଲିଆ ପାଇଁ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ମୋଟ ୩ଟି ଟେଷ୍ଟ ଖେଳିଥିଲେ। ଏହାପରେ ସେ ଦୀର୍ଘ ଦିନ ଧରି ଜାତୀୟ ଟେଷ୍ଟ ଦଳରୁ ବାହାରେ ରହିଥିଲେ।

୨୦୨୫ରେ ଟେଷ୍ଟିକୁଲାର କ୍ୟାନସରର ଚିକିତ୍ସା ଏବଂ କେମୋଥେରାପି ଦେଇ ଗତି କରିଥିଲେ ମ୍ୟାଡିନସନ। ତେବେ ରୋଗରୁ ସୁସ୍ଥ ହେବା ପରେ ସେ ଏପର୍ଯ୍ୟନ୍ତ କୌଣସି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳିନାହାନ୍ତି। ଏହାସତ୍ତ୍ୱେ ତାଙ୍କ ଅଭିଜ୍ଞତା ଓ ସାମ୍ପ୍ରତିକ ଫର୍ମକୁ ଦୃଷ୍ଟିରେ ରଖି ସିଲେକ୍ଟରମାନେ ତାଙ୍କ ଉପରେ ଭରସା କରିଛନ୍ତି।

କେମୋଥେରାପି ସରିବା ପରେ ୨୦୨୫-୨୬ ସିଜନରେ ମ୍ୟାଡିନସନ ସିଡନୀ ଥଣ୍ଡର ପକ୍ଷରୁ ବିଗ ବ୍ୟାସ ଲଗ୍‌ରେ ଖେଳିଥିଲେ। ଏହାସହ ନ୍ୟୁ ସାଉଥ ୱେଲ୍ସର ସେକେଣ୍ଡ ଇଲେଭେନ ପାଇଁ ମଧ୍ୟ ମ୍ୟାଚ ଖେଳିଥିଲେ। ଗତ ମାସରେ ତାଙ୍କୁ ନ୍ୟୁ ସାଉଥ ୱେଲ୍ସର ଶେଫିଲ୍ଡ ଶିଲ୍ଡ ଦଳର ଅଧିନାୟକ ମଧ୍ୟ ନିଯୁକ୍ତ କରାଯାଇଥିଲା।

ଟେଷ୍ଟ ଦଳରେ ସ୍ଥାନ ପାଇବା ପୂର୍ବରୁ ମ୍ୟାଡିନସନ ଭିକ୍ଟୋରିଆ ବିପକ୍ଷ ଓ୍ବାନ୍‌ ଡେ’ କପ ମ୍ୟାଚ୍‌ରେ ଧମାକାଦାର ୧୨୬ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଏହି ପ୍ରଦର୍ଶନ ତାଙ୍କ ଫିଟନେସ ଓ ଫର୍ମର ପ୍ରମାଣ ଦେଇଥିଲା।

ଅନକ୍ୟାପ୍ଡ ଉଇକେଟକିପର-ବ୍ୟାଟର ସାମ ହାର୍ପର ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆର ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ଭାରତରେ ଇଣ୍ଡିଆ ‘ଏ’ ବିପକ୍ଷରେ ଅନୌପଚାରିକ ଟେଷ୍ଟ ସିରିଜ ଖେଳୁଥିବା ଅଷ୍ଟ୍ରେଲିଆ ‘ଏ’ ଦଳରେ ସାମିଲ ଅଛନ୍ତି।

 

Dharitri – Odisha’s No.1 Odia Daily

 

Share