ନୂଆଦିଲ୍ଲୀ,୨୪।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ ଚମକିଲେ ୟୁଏଇର ବ୍ୟାଟର ହରପ୍ରୀତ ସିଂହ ଭାଟିଆ। ଇଣ୍ଡିଆ-ଏ ଦଳର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ଏହି ବାମହାତୀ ବ୍ୟାଟର। ୧୨୦ଟି ବଲ୍ରେ ଶତକ ପୂରଣ କରିଥିବା ହରପ୍ରୀତ ହର୍ଷିତ ରାଣାଙ୍କ ବଲ୍ରେ ଛକା ମାରି ଏହି ମାଇଲଖୁଣ୍ଟ ଛୁଇଁଥିଲେ।
ତେବେ ହରପ୍ରୀତଙ୍କ ଏହି ଶତକ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। କାରଣ ଯେଉଁ ଦେଶରେ ତାଙ୍କର ଜନ୍ମ, ସେହି ଭାରତ ବିପକ୍ଷରେ ସେ ଏହି ଶତକ ହାସଲ କରିଛନ୍ତି। ଛତିଶଗଡ଼ର ବାସିନ୍ଦା ହରପ୍ରୀତ ଦୀର୍ଘ ସମୟ ଧରି ଭାରତୀୟ ଘରୋଇ କ୍ରିକେଟ୍ରେ ଖେଳିବା ପରେ ଏବେ ୟୁଏଇ ପକ୍ଷରୁ କ୍ରିକେଟ ଖେଳୁଛନ୍ତି। ୟୁଏଇ ପାଇଁ ଏହା ତାଙ୍କର ପ୍ରଥମ ଶତକ।
ହରପ୍ରୀତ ସିଂହ ଭାଟିଆ ୨୦୧୦ ମସିହାରେ ଭାରତୀୟ ଅଣ୍ଡର-୧୯ ବିଶ୍ୱକପ ଦଳର ସଦସ୍ୟ ଥିଲେ। ସେହି ଦଳରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ ହର୍ଷଲ ପଟେଲଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଥିଲେ। ଉକ୍ତ ଟୁର୍ନାମେଣ୍ଟରେ ହରପ୍ରୀତ ୩ଟି ଇନିଂସରେ ୨୩.୩୩ ହାରରେ ମୋଟ ୭୦ ରନ ସଂଗ୍ରହ କରିଥିଲେ।
ଘରୋଇ କ୍ରିକେଟରେ ମଧ୍ୟ ତାଙ୍କର ରେକର୍ଡ ବେଶ ଉଲ୍ଲେଖନୀୟ। ମଧ୍ୟପ୍ରଦେଶ ଓ ଛତିଶଗଡ଼ ପକ୍ଷରୁ ସେ ମୋଟ ୮୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୫.୪୦ ହାରରେ ୫୪୦୩ ରନ କରିଛନ୍ତି। ଏଥିରେ ୧୬ଟି ଶତକ ସାମିଲ ରହିଛି। ଏହାବ୍ୟତୀତ ଭାରତରେ ଲିଷ୍ଟ-ଏ କ୍ରିକେଟ୍ରେ ମଧ୍ୟ ସେ ୬ଟି ଶତକ ହାସଲ କରିଛନ୍ତି।
ହରପ୍ରୀତ ଆଇପିଏଲ୍ରେ ମଧ୍ୟ ନିଜର ପ୍ରତିଭା ଦେଖାଇଛନ୍ତି। ସେ ପଞ୍ଜାବ କିଙ୍ଗ୍ସ, ପୁଣେ ୱାରିୟର୍ସ ଇଣ୍ଡିଆ ଏବଂ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଛନ୍ତି। ଆଇପିଏଲ୍ରେ ମୋଟ ୯ଟି ମ୍ୟାଚ ଖେଳି ୧୭.୫୭ ହାରରେ ୧୨୩ ରନ ସଂଗ୍ରହ କରିଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍ରେ ନିଜର ପରିଚୟ ସୃଷ୍ଟି କରିଥିବା ହରପ୍ରୀତ ଏବେ ୟୁଏଇ ପାଇଁ ଶତକ ହାସଲ କରି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି।