ନୂଆଦିଲ୍ଲୀ,୨୩।୧୧: ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ବୋଲିଂ କରି ଇତିହାସ ରଚିଛନ୍ତି ଜମଶେଦ ଆଲମ। ଲଗାତାର ୪ଟି ଉଇକେଟ ନେଇ ସେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାରେ ସେ ତୃତୀୟ ଭାରତୀୟ ବୋଲର। ଏହାସହ ନିଜ ଟି-୨୦ ଡେବ୍ୟୁ ମ୍ୟାଚ୍ରେ ଲଗାତାର ୪ଟି ଉଇକେଟ ନେବାରେ ସେ ବିଶ୍ୱର ଦ୍ୱିତୀୟ ବୋଲର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ରେଳୱେ ପକ୍ଷରୁ ଖେଳୁଥିବା ଜମଶେଦ ଏହି ସଫଳତାକୁ ଗତ ୧୦ ବର୍ଷର କଠିନ ପରିଶ୍ରମର ଫଳ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ସେ ନିଜ ସଂଘର୍ଷମୟ ଜୀବନ ଓ କ୍ରିକେଟର ହେବାର ସ୍ବପ୍ନ ପଛର କାହାଣୀ ବଖାଣିଛନ୍ତି। ଜମଶେଦଙ୍କ ଗାଁର ନାମ ଫାଜିଲନଗର (ବର୍ତ୍ତମାନ ପୱନଗଡ଼)। ସେଠାରେ ‘ଏସଏମଏଟି’ (ଶହିଦ ମେଜର ଅମିୟ ତ୍ରିପାଠୀ ଟୁର୍ନାମେଣ୍ଟ) ନାମରେ ଏକ ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ହୋଇଥାଏ। ତାଙ୍କ ଭାଇ ଅବରାର ଅହମ୍ମଦ ଟେନିସ ବଲ କ୍ରିକେଟ ଖେଳୁଥିଲେ ଏବଂ ସେ ପ୍ରାୟତଃ ଏହି ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଦିନେ ଭାଇଙ୍କ ଜିଦ କରି ଜମଶେଦ ମଧ୍ୟ ତାଙ୍କ ସହ ମ୍ୟାଚ ଦେଖିବାକୁ ଯାଇଥିଲେ। ସେହି ମ୍ୟାଚ ତାଙ୍କୁ କ୍ରିକେଟ ପ୍ରତି ଏତେ ଆକର୍ଷିତ କରିଥିଲା ଯେ, ସେହିଦିନ ହିଁ କ୍ରିକେଟର ହେବାକୁ ମନସ୍ଥ କରିଥିଲେ।
ଜମଶେଦଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତାଙ୍କ ବାପା ଜଣେ କୃଷକ। କ୍ରିକେଟ ଟ୍ରେନିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ପରିବାର ପାଇଁ ସହଜ ନଥିଲା। ତଥାପି ୧୩ ବର୍ଷ ବୟସରେ ଜମଶେଦ ନିଜ ବାପାଙ୍କୁ କ୍ରିକେଟର ହେବାର ଇଚ୍ଛା ଜଣାଇଥିଲେ। କିନ୍ତୁ ତାଙ୍କ ବାପା ଏଥିପାଇଁ ରାଜି ହୋଇ ନ ଥିଲେ ଏବଂ କ୍ରିକେଟ ଖେଳିବାକୁ ସ୍ପଷ୍ଟ ମନା କରିଦେଇଥିଲେ।
ଜମଶେଦ କହିଛନ୍ତି, ବାପାଙ୍କ ମନା କରିବା ପରେ ସେ ଭାବିଥିଲେ ଯେ କ୍ରିକେଟ ନହେଲେ ଆଉ କିଛି ନୁହେଁ। ନିଜ ପାଖରେ ଥିବା ୨୫୦୦ ଟଙ୍କା ଧରି ସେ ଘର ଛାଡ଼ି ଲକ୍ଷ୍ନୌ ଚାଲିଯାଇଥିଲେ। ସେଠାରେ ତାଙ୍କ ବନ୍ଧୁ ସୋଏବ ଖାନ ରହୁଥିଲେ ଏବଂ ଏକ କ୍ରିକେଟ ଏକାଡେମୀରେ ଟ୍ରେନିଂ ନେଉଥିଲେ। ବନ୍ଧୁ ମଧ୍ୟ ତାଙ୍କୁ ନିଜ ଘରେ ରହିବାକୁ ସୁଯୋଗ ଦେଇଥିଲେ। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଜମଶେଦଙ୍କର ବାପାଙ୍କ ସହ କୌଣସି ଯୋଗାଯୋଗ ହୋଇ ନ ଥିଲା। ଏହି ସମୟରେ ସେ କ୍ରିକେଟ ଏକାଡେମୀ ଯିବା ଆରମ୍ଭ କରିଥିଲେ।
ଜମଶେଦଙ୍କ ଭାଇ ଏକାଡେମୀର ଆଡମିସନ ଫିସ ବ୍ୟବସ୍ଥା କରିଦେବେ ବୋଲି କହିଥିଲେ। କିନ୍ତୁ ତାଙ୍କ କୋଚ ବିଶ୍ୱଜିତ ସିହ୍ନା ଏକ ସର୍ତ୍ତ ରଖିଥିଲେ। ଏଭଳି ବୋଲିଂ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ, ଯାହାଦ୍ୱାରା ଦଳ ମ୍ୟାଚ ଜିତିପାରିବ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଜମଶେଦ ନିଜ ପ୍ରଦର୍ଶନ ବଳରେ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତାଇଥିଲେ। ଏହାପରଠାରୁ ତାଙ୍କୁ ଆଉ ଟ୍ରେନିଂ ଫିସ ଦେବାକୁ ପଡ଼ିନଥିଲା।
ପରେ ତାଙ୍କ ଭାଇ ଓ ବନ୍ଧୁଙ୍କ ପରିବାର ତାଙ୍କୁ ଘରକୁ ଫେରିବାକୁ ବୁଝାଇଥିଲେ। ବାପା ତଥାପି ତାଙ୍କ ଉପରେ ରାଗିଥିଲେ। ତେବେ ଭାଇ ବାପାଙ୍କ ସହ ଏକ ବୁଝାମଣା କରିଥିଲେ। ଜମଶେଦଙ୍କୁ ଦୁଇ ବର୍ଷ ସମୟ ଦେବାକୁ ସେ କହିଥିଲେ। ଏହି ସମୟ ମଧ୍ୟରେ କ୍ରିକେଟରେ ସଫଳତା ନମିଳିଲେ ସେ ଖେଳ ଛାଡ଼ି ପାଠପଢ଼ାରେ ମନ ଦେବେ ବୋଲି ସର୍ତ୍ତ ରହିଥିଲା।
ମାତ୍ର ଦୁଇ ବର୍ଷ ମଧ୍ୟରେ ଜମଶେଦ ଉତ୍ତରପ୍ରଦେଶର ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିଲେ। ଆଜି ସୈୟଦ ମୁସ୍ତାକ ଅଲି ଟ୍ରଫିରେ ତାଙ୍କର ଐତିହାସିକ ପ୍ରଦର୍ଶନ ଦୀର୍ଘ ବର୍ଷର ସଂଘର୍ଷ ଓ ପରିଶ୍ରମର ଫଳ ବୋଲି ସେ କହିଛନ୍ତି।