Categories: ଖେଳ

୧୦ କିଗ୍ରା ଓଜନ କମାଇଲେ ଏହି କ୍ରିକେଟର

ହାଇଦ୍ରାବାଦ,୮ା୪: ସିଏସ୍‌କେ ଅଲରାଉଣ୍ଡର ଶିବମ ଦୁବେ ପିଲାଦିନେ ଅଧିକ ମୋଟା ଥିଲେ। କ୍ରିକେଟରେ ଯୋଗ ଦେବା ପରେ ସେ ତାଙ୍କର ଓଜନ କମାଇଥିଲେ। ବର୍ତ୍ତମାନ ସେ ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇ ଅଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ଅଲ୍‌ରାଉଣ୍ଡର ୧୪ ବର୍ଷ ବୟସରେ ଅଧିକ ମୋଟା ହୋଇଯାଇଥିଲେ। ତାଙ୍କ ସ୍କୁଲ ପ୍ରଶିକ୍ଷକ ନୀଲେଶ ଭୋଁସଲେ ଏହା କହିଛନ୍ତି। ସେ କହିଛନ୍ତି, ଶିବମ ଜଣେ ଦକ୍ଷ କ୍ରିକେଟର ଥିଲେ, କିନ୍ତୁ ଅଧିକ ପୃଥୁଳ ଥିଲେ। ଏହା ପରେ ଶିବମ ଫିଟନେସ୍‌ ଉପରେ ଧ୍ୟାନ ଦେଇଥିଲେ।

କ୍ରିକେଟର ହେବା ପାଇଁ ଶିବମ ଦୁବାଇ ଫିଟନେସ୍‌ ଉପରେ କାମ କରିଥିଲେ। ଏହି ସମୟରେ ସେ ୧୦ କିଗ୍ରା ଓଜନ କମାଇଥିଲେ। ଅଧିକ ଓଜନ ହେତୁ ସେ ୧୫ରୁ ୨୦ବର୍ଷ ବୟସରେ ଅନେକ କ୍ରିକେଟ ମ୍ୟାଚ୍‌ ବି ହରାଇଥିଲେ।

ରଣଜୀ ଟ୍ରଫି ମ୍ୟାଚ୍‌ରେ ଶିବମ ଦୁବେ ଲଗାତର ୬ଟି ଛକା ମାରିଥିଲେ। ପରବର୍ତ୍ତୀ ବର୍ଷ ଡିଏ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ୩୪ ରନ୍‌ ସ୍କୋର କରିବା ସହିତ ଶିବମ ୭ ରନ୍‌ ପାଇଁ ୩ ଓ୍ବିକେଟ ନେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଦଳ ବିପିସିଏଲ୍‌ ଟାଇଟଲ ଜିତିବାରେ ସଫଳ ହୋଇଥିଲା।

୨୦୧୯ ଆଇପିଏଲ୍‌ ନିଲାମରେ ଶିବମଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ କୋଟି ଟଙ୍କାରେ କିଣିଥିଲା। ସେ ୨୦୧୯ ଏବଂ ୨୦୨୦ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିଲେ। ୨୦୨୧ରେ ସେ ରାଜସ୍ଥାନ ରୟାଲ୍ସ ଦଳରେ ଯୋଗ ଦେଇଥିଲେ। ୨୦୨୨ର ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ଶିବମଙ୍କୁ ସେମାନଙ୍କ ଦଳରେ ୪ କୋଟି ଟଙ୍କାରେ କିଣିଥିଲେ। ସେବେଠାରୁ ସେ ସିଏସ୍‌କେର ଏକ ଅଂଶ ରହିଛନ୍ତି।

ଶିବମ ଏପର୍ଯ୍ୟନ୍ତ ଆଇପିଏଲରେ ୩୭ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ସେ ୭୩୪ ରନ୍‌ ସ୍କୋର କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୯୫ରେ ନଟ୍‌ଆଉଟ୍‌ ଥିଲେ। ସେ ଆଇପିଏଲରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଶିବମ ଜଣେ ଅଲରାଉଣ୍ଡର ଭାବରେ ଖେଳନ୍ତି। ସେ ଆଇପିଏଲରେ ୪ଟି ଓ୍ବିକେଟ ନେଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ଶିବମ୍‌ ଟିମ୍‌ ଇଣ୍ଡିଆର ପ୍ରତିନିଧିତ୍ୱ କରିଛନ୍ତି। ସେ ଭାରତ ପାଇଁ ୧ଟି ଓଡିଆଇ ଏବଂ ୧୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଟି -୨୦ରେ ୧୦୫ ରନ୍‌ ସ୍କୋର କରିବା ସହିତ ଶିବମ୍‌ ୫ ଓ୍ବିକେଟ ହାସଲ କରିଛନ୍ତି।

Share