ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ ୮ଟି ଉଇକେଟ ହାସଲ କରି ସେ ସୌରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫିର ଗୋଟିଏ ଇନିଂସ୍ରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନର ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସୌରାଷ୍ଟ୍ର ଆସାମକୁ ଇନିଂସ ବ୍ୟବଧାନରେ ପରାସ୍ତ କରି ୭ ପଏଣ୍ଟ ହାସଲ କରିଛି।
୨୯ ବର୍ଷୀୟ ପାର୍ଥଙ୍କ ପାଇଁ ଏହି ସଫଳତା ଆହୁରି ଖାସ। କାରଣ ସେ ଲଗାତାର ଦ୍ୱିତୀୟ ମ୍ୟାଚ୍ରେ ୫ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ କର୍ନାଟକ ବିପକ୍ଷ ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ରେ ମଧ୍ୟ ସେ ୫ଟି ଉଇକେଟ ନେଇଥିଲେ। ଆସାମ ବିପକ୍ଷରେ ତାଙ୍କର ଏହି ୮ ଉଇକେଟ ସଫଳତା ପାର୍ଥଙ୍କ ଚମତ୍କାର ଫର୍ମ ଓ ବୋଲିଂ ଦକ୍ଷତାକୁ ପ୍ରମାଣିତ କରିଛି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ନିଜର ୨୫ଟି ମ୍ୟାଚ୍ରୁ ସେ ଏପର୍ଯ୍ୟନ୍ତ ୯ ଥର ଗୋଟିଏ ଇନିଂସ୍ରେ ୫ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ହାସଲ କରିଛନ୍ତି।
ସୌରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫିର ଗୋଟିଏ ଇନିଂସ୍ରେ ୮ଟି ଉଇକେଟ ନେବାରେ ପାର୍ଥ ଦ୍ୱିତୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଦଳର ଅଧିନାୟକ ଜୟଦେବ ଉନାଦକଟ ଏହି ସଫଳତା ହାସଲ କରିଥିଲେ। ୨୦୨୩ ଜାନୁଆରୀରେ ଦିଲ୍ଲୀ ବିପକ୍ଷରେ ଉନାଦକଦ ୩୯ ରନ ଦେଇ ୮ଟି ଉଇକେଟ ନେଇଥିଲେ। ଏବେ ପାର୍ଥ ମାତ୍ର ୧୭ ରନ୍ରେ ୮ଟି ଉଇକେଟ ନେଇ ତାଙ୍କଠାରୁ ଆହୁରି ଭଲ ବୋଲିଂ ଆକଳନ ହାସଲ କରିଛନ୍ତି। ପାର୍ଥଙ୍କ ଏହି ଐତିହାସିକ ପ୍ରଦର୍ଶନ କେବଳ ସୌରାଷ୍ଟ୍ରକୁ ବଡ଼ ବିଜୟ ଦେଇନାହିଁ, ବରଂ ରଣଜୀ ଟ୍ରଫିରେ ତାଙ୍କ ନାମକୁ ଏକ ନୂଆ ରେକର୍ଡ ସହ ଯୋଡ଼ିଦେଇଛି।