Categories: ଖେଳ

ଏହା ହୋଇପାରେ ଧୋନୀ, ସିଏସ୍‌କେର ଚିନ୍ତାର କାରଣ

ମୁମ୍ବାଇ,୧।୪: ଆଇପିଏଲର ଅନ୍ୟତମ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତବର୍ଷ ବିଫଳ ହୋଇଥିଲା। ମଧ୍ୟକ୍ରମରେ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ଚଳିତ ଥର ଦଳରେ ଅଛନ୍ତି ରାଇନା। ଏହାସତ୍ତ୍ୱେ ଧୋନୀ ଓ ସିଏସ୍‌କେ ପାଇଁ ଚିନ୍ତା କରିବାର ଆହୁରି କାରଣ ରହିଛି।

ସ୍ପିନର ଓ ସୁଇଙ୍ଗ ବୋଲରଙ୍କ ଉପରେ ନିର୍ଭର କରୁଥିବା ସିଏସ୍‌କେକୁ ପ୍ରଥମ ୫ ମ୍ୟାଚ୍‌ ମୁମ୍ବାଇରେ ଖେଳିବାକୁ ପଡ଼ିବ। ଆଉ ମୁମ୍ବାଇର ଗ୍ରାଉଣ୍ଡରେ ଦଳର ପ୍ରଦର୍ଶନ ସେତେଟା ଖାସ ନାହିଁ। ଏହି ପିଚ୍‌ରେ ପେସରଙ୍କ ଦବ୍‌ଦବା ଦେଖିବାକୁ ମିଳେ। ହେଲେ ସିଏସ୍‌କେ ପାଖରେ ସେଭଳି ପେସର ନାହାନ୍ତି। ନିୟମିତ ୧୪୦ରୁ ଅଧିକ ଗତିରେ ବୋଲିଂ କରିପାରୁ ଥିବା ଜୋସ ହାଜେଲଉଡ୍‌ ଲିଗ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳ ଖେଳାଳି ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। ହାଜେଲଉଡଙ୍କୁ ଛାଡ଼ି ଦେଲେ ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ଲୁଙ୍ଗି ଏନ୍‌ଗିଡି, ଡ୍ବେନ ବ୍ରାଭୋ, ସାମ କୁରାନ ଓ କେ. ଏମ୍‌. ଅସିଫଙ୍କ ଭଳି ପେସର ଅଛନ୍ତି। ଏମାନଙ୍କ ପ୍ରଦର୍ଶନ ଉପରେ ହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇର ଭାଗ୍ୟ ନିର୍ଭର କରେ।

ଦଳରେ ଧୋନୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ ଇମ୍ରାନ ତାହିରଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରୁ ନେଇ ସାରିଛନ୍ତି ଅବସର। ଦୀର୍ଘ ଦିନ ହେଲା ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଠାରୁ ଦୂରଇ ରାହିଥିବାରୁ ଲୟକୁ ଫେରିବା ପାଇଁ ଏମାନଙ୍କୁ ସମୟ ଲାଗିବ। ଏହା ଦଳକୁ ପ୍ରଥମ କିଛି ମ୍ୟାଚ୍‌ରେ ବାଧି ପାରେ। ଏଭଳି ସମସ୍ୟାରୁ ବାହାର କରିବା ପାଇଁ ସିଏସ୍‌କେ ନିକଟରେ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ। ଯଦି ଏଭଳି ନ ହୁଏ, ତେବେ ଚଳିତ ସିଜନରେ ମଧ୍ୟ ଧୋନୀ ଓ ତାଙ୍କ ଦଳକୁ ପୁଣି ଥରେ ସଂଘର୍ଷ କରିବାକୁ ପଡ଼ିପାରେ।

Share