ଗୋଟିଏ ଓଭରରେ ବୁମରାଙ୍କଠାରୁ ପର୍ପଲ କ୍ୟାପ୍‌ ଛଡାଇ ନେଲେ ଏହି ବୋଲର୍‌

ଆଇପିଏଲର ଟାଇଟଲ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ନାମେଣ୍ଟର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ରବିବାର ଦିଲ୍ଲୀ କ୍ୱାଲିଫାୟର ୨ରେ ସନରାଇଜର୍ସକୁ ପରାସ୍ତ କରିଛି । ଅନ୍ୟପକ୍ଷରେ, ପର୍ପଲ କ୍ୟାପ ପାଇଁ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡା ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମରାଙ୍କଠାରୁ ପର୍ପଲ କ୍ୟାପ ଛଡ଼ାଇ ନେଇଛନ୍ତି। ବିଶେଷ କଥା ହେଉଛି ଆଇପିଏଲରେ ସର୍ବାଧିକ ଉଇକେଟ ନେଇଥିବା ଶ୍ରେଷ୍ଠ ତିନି ବୋଲର ଫାଇନାଲ ଖେଳିବେ। ସନରାଇଜର୍ସ ବିପକ୍ଷ କ୍ୱାଲିଫାୟର୍‌-୨ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କାଗିସୋ ରାବାଡା ପର୍ପଲ କ୍ୟାପ ଦୌଡ଼ରେ ୨୫ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେ ଏହି ମ୍ୟାଚରେ ୪ଟି ଉଇକେଟ ନେଇ ବୁମରାଙ୍କୁ ପଛରେ ପକାଇଥିଲେ। ଏବେ ରାବାଡାଙ୍କ ଖାତାରେରେ ୨୯ ଉଇକେଟ ଅଛି। ସେ ଗୋଟିଏ ଓଭରରେ ୩ଟି ଉଇକେଟ ନେଇ ବୁମରାଠାରୁ ପର୍ପଲ କ୍ୟାପ ଛଡ଼ାଇ ନେଇଥିଲେ। ରାବଡା ମଧ୍ୟ ଏହି ଓଭରରେ ହ୍ୟାଟ୍ରିକ ନେବାର ସୁଯୋଗ ଥିଲା। କିନ୍ତୁ ସେ ଲଗାତର ୨ଟି ଉଇକେଟ ନେବା ପରେ ଏକ ଓ୍ବାଇଡ୍‌ ବଲ ପକାଇଥିଲେ। ଏହାର ପର ବଲରେ ସେ ଆଉ ଏକ ଉଇକେଟ୍‌ ନେଇଥିଲେ। ରାବାଡା ଏବଂ ବୁମରା ଉଭୟ ଫାଇନାଲରେ ଖେଳିବେ। ଏଭଳି ପରିସ୍ଥିତିରେ ପର୍ପଲ କ୍ୟାପ ପାଇଁ ଉଭୟଙ୍କ ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ହେବ। ରାବାଡା ଏବଂ ବୁମରାଙ୍କ ପରେ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ତୃତୀୟ ସ୍ଥାନରେ ରହିଛି। ସେ ଏପର୍ଯ୍ୟନ୍ତ ୨୨ଟି ଉଇକେଟ ନେଇଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଇଥାଏ।

Share