Categories: ଖେଳ

ବୁମ୍‌ରାଙ୍କ ସ୍ଥାନ ନେଲେ ଏହି ବୋଲର୍‌

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତୀୟ ଦଳର ସାମିଲ ହୋଇଛନ୍ତି। ସେ ଭେଟେରାନ ପେସର ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନ ନେବେ। ବୁମ୍‌ରା ଆହତ କାରଣରୁ ବାଦ ପଡିଥିଲେ। ଶୁକ୍ରବାର ବିସିସିଆଇ ଏହା ଘୋଷଣା କରିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବୁମରା ଖେଳି ନ ଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଆହତ ହୋଇଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ବିପକ୍ଷ ସିରିଜ ବ୍ୟତୀତ ସେ ଏସିଆ କପରେ ଖେଳିପାରି ନ ଥିଲେ।
ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ, ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଆହତ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରିଛି। ବୁମରାଙ୍କ ପିଠିରେ ଆଘାତ ଲାଗିଛି ଏବଂ ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛି। ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ ଅକ୍ଟୋବର ୨ରେ ଗୁଆହାଟୀରେ ଏବଂ ଅକ୍ଟୋବର ୪ରେ ଇନ୍ଦୋରରେ ଖେଳାଯିବ।

 

Share