୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର ଯାଦୁ ଅକ୍ଷୁର୍ଣ୍ଣ ରହିଛି। ତାହିର ବର୍ତ୍ତମାନ ଟି-୨୦ କ୍ରିକେଟ ଇତିହାସରେ ଗୋଟିଏ ମ୍ୟାଚରେ ୫ଟି ଉଇକେଟ ନେଇଥିବା ସବୁଠାରୁ ବୟସ୍କ କ୍ରିକେଟର ହୋଇପାରିଛନ୍ତି। କାରିବିଆନ ପ୍ରିମିୟର ଲିଗ (CPL) ରେ ଗୁଏନା ୱାରିୟର୍ସ ପାଇଁ ଖେଳୁଥିବା ସମୟରେ ସେ ଏହି ସଫଳତା ହାସଲ କରିଥିଲେ। ସେ ସେଣ୍ଟ ଲୁସିଆ କିଙ୍ଗ୍ସ ବିପକ୍ଷରେ ନିଜର ଚାରି ଓଭର ବୋଲିଂ ମଧ୍ୟରେ ୫ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲେ।

CPL ଟୁର୍ନାମେଣ୍ଟର ୩୧ତମ ମ୍ୟାଚରେ ସେଣ୍ଟ ଲୁସିଆ କିଙ୍ଗ୍ସ ଏବଂ ଗୁଏନା ୱାରିୟର୍ସ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ କିଙ୍ଗ୍ସ ଏକ ସମୟରେ ମାତ୍ର ଗୋଟିଏ ଉଇକେଟ ହରାଇ ୫୪ ରନ ସଂଗ୍ରହ କରିଥିଲା। ତେବେ, ଏହା ପରେ ଇମ୍ରାନ ତାହିର ପ୍ରତିପକ୍ଷ ଦଳର ବ୍ୟାଟିଂ ଲାଇନ-ଅପ ଉପରେ କାଳ ସାଜିଥିଲେ।

୪୭ ବର୍ଷ ବୟସରେ ତାହିର ବିନା ବିରତିରେ ନିଜର ଚାରି ଓଭର ବୋଲିଂ କରିଥିଲେ। ସେ ଲଗାତାର ଚାରି ଓଭର ବୋଲିଂ କରି ପ୍ରତ୍ୟେକ ଓଭରରେ ଅତିକମରେ ଗୋଟିଏ ଉଇକେଟ ନେଇଥିଲେ। ସେ ନିଜର ଚାରି ଓଭରରେ ୧୭ ରନ ଦେଇ ୫ଟି ଉଇକେଟ ନେଇଥିଲେ।

୪୭ ବର୍ଷୀୟ ତାହିର ଟି-୨୦ କ୍ରିକେଟରେ ୫ଟି ଉଇକେଟ ନେଇଥିବା ସବୁଠାରୁ ବୟସ୍କ ବୋଲର ହୋଇପାରିଛନ୍ତି। ପୂର୍ବରୁ ଏହି ରେକର୍ଡ କୁକ ଆଇଲ୍ୟାଣ୍ଡର ଟୋମାକାନୁଟେ ରିଟାଭାଙ୍କ ନାମରେ ଥିଲା, ଯିଏ ୨୦୨୨ ମସିହାରେ ଫିଜି ବିପକ୍ଷରେ ୪୬ ବର୍ଷ ୨୯୯ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ। ତେବେ ତାହିର ୪୭ ବର୍ଷ ୧୬୬ ଦିନ ବୟସରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ଥର ୫ଟି ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ତାହିର ଦ୍ୱିତୀୟ ସ୍ଥାନକୁ ମଧ୍ୟ ଉନ୍ନୀତ ହୋଇଛନ୍ତି। ସେ ନିଜର ଟି-୨୦ କ୍ୟାରିୟରରେ ୬ ଥର ଗୋଟିଏ ଇନିଂସରେ ୫ କିମ୍ବା ତା’ଠାରୁ ଅଧିକ ଉଇକେଟ ନେଇଛନ୍ତି। ସେ କେବଳ ବିପକ୍ଷ ଦଳର ଅଧିନାୟକ ରୋଷ୍ଟନ ଚେସଙ୍କ ବ୍ୟତୀତ, ତାର୍ହି ମ୍ୟାକେନି କ୍ଲାର୍କ, ମାଥ୍ୟୁ ଫୋର୍ଡ ଏବଂ ଜୋଶୁଆ ବିଶପଙ୍କୁ ଉଇକେଟ ମଧ୍ୟ ନେଇଥିଲେ।

 

Dharitri – Odisha’s No.1 Odia Daily

 

Share