ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ।
ଏକ ଭିଡିଓରେ ରାଣୀ ପଣ୍ଡା କହିଛନ୍ତି, ମୁଁ ଆପଣମାନଙ୍କୁ କହିଥିଲି ବଲିଉଡ୍ର ଜଣେ ସୁପରଷ୍ଟାର ମୋ’ ଯାତ୍ରାରେ ଅଭିନୟ କରିବେ ଯାହା ପୂର୍ବରୁ ଜଣାଇଥିଲି। ଆଜି ସେହି ସୁଯୋଗ ମିଳିଛି। ଆଉ ସେହି ସୁପରଷ୍ଟାର ଆଉ କେହି ନୁହନ୍ତି ସେ ହେଉଛନ୍ତି ପୁନିତ୍ ଇସର। ଯିଏ କି ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତି ଲାଭ କରିଛନ୍ତି। ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏଥର ଆପଣମାନେ ତାଙ୍କୁ ମୋ’ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ରେ ଦେଖିବାର ସୁଯୋଗ ପାଇବେ। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ ସେ ନିଶ୍ଚିତ ଯାତ୍ରାରେ ବି ଭଲ ଅଭିନୟ କରିବେ ବୋଲି ମୋର ଆଶା ବୋଲି ରାଣୀ କହିଛନ୍ତି।
ସେହିପରି ପୁନିତ ମଧ୍ୟ ଓଡ଼ିଶାବାସୀଙ୍କୁ କହିଛନ୍ତି, ଡେଞ୍ଜର ଦୁର୍ଯ୍ୟୋଧନ ଆପଣଙ୍କ ସାମ୍ନାକୁ ଖୁବ୍ଶୀଘ୍ର ଆସୁଛି। ଆପଣମାନେ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ।
ସୂଚନା ଥାଉକି, ପୂର୍ବରୁ ଅର୍ଦ୍ଧେନ୍ଦୁ ସାହୁଙ୍କ ଓଡ଼ିଆ ଫିଲ୍ମ ‘ଚ୍ୟାଲେଞ୍ଜ’ରେ ମଧ୍ୟ ପୁନିତ୍ ଅଭିନୟ କରିସାରିଛନ୍ତି।

