ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ନିୟମ ଅନୁପାଳନ ସଂସ୍ଥା ତାଙ୍କୁ ଏକ ମାସ ପାଇଁ ବାସନ୍ଦ କରିଛି।
ଗତ ଜୁଲାଇ ୧୮ ତାରିଖରେ କ୍ରିସ ଲିନଙ୍କ ଡୋପ ଟେଷ୍ଟ କରାଯାଇଥିଲା। ସେହି ସମୟରେ ସେ ଟି-୨୦ ବ୍ଲାଷ୍ଟର ଫାଇନାଲ ମ୍ୟାଚ୍‌ ଖେଳିବାକୁ ଥିଲେ। ପରୀକ୍ଷାରେ ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିଥିଲା। ତେବେ ଇସିବି ପକ୍ଷରୁ ନିଆଯାଇଥିବା ଦଣ୍ଡ ବିରୋଧରେ ଲିନ କୌଣସି ଆପତ୍ତି ଉଠାଇନାହାନ୍ତି। ସେ ଏକ ମାସର ବାସନ୍ଦାଦେଶକୁ ଗ୍ରହଣ କରିଛନ୍ତି।

କ୍ରିସ ଲିନ ଦୀର୍ଘ ୮ ବର୍ଷ ଧରି ଅଷ୍ଟ୍ରେଲିଆ ଜାତୀୟ ଦଳକୁ ଫେରିବା ଅପେକ୍ଷାରେ ଅଛନ୍ତି। ଶେଷ ଥର ପାଇଁ ୨୦୧୮ରେ ଭାରତ ବିପକ୍ଷରେ ତାଙ୍କୁ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ନଭେମ୍ବର ୨୫ରେ ସିଡନୀରେ ଖେଳାଯାଇଥିବା ଏହି ଟି-୨୦ ମ୍ୟାଚ୍‌ରେ ଲିନଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା। ଷଷ୍ଠ ସ୍ଥାନରେ ବ୍ୟାଟିଂ କରି ସେ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ। ଜସପ୍ରୀତ ବୁମ୍‌ରାଙ୍କ ଥ୍ରୋରେ ସେ ରନଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ଜାତୀୟ ଦଳରେ ସୁଯୋଗ ମିଳୁ ନ ଥିଲେ ମଧ୍ୟ କ୍ରିସ ଲିନ ଏବେ ବି କ୍ରିକେଟ୍‌ରେ ସକ୍ରିୟ ଅଛନ୍ତି। ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍‌ରେ ସେ ନିଜର ଜଲୱା ଦେଖାଉଛନ୍ତି। ବିଗ ବାସ ଲିଗ, ଇଣ୍ଟରନ୍ୟାଶନାଲ ଲିଗ ଟି-୨୦, ନେପାଳ ପ୍ରିମିୟର ଲିଗ ଏବଂ ଟି-୨୦ ବ୍ଲାଷ୍ଟ ଭଳି ପ୍ରମୁଖ ଲିଗ୍‌ରେ ସେ ଖେଳିଆସୁଛନ୍ତି।

କ୍ରିସ ଲିନ ଅଷ୍ଟ୍ରେଲିଆ ପକ୍ଷରୁ ୪ଟି ଦିନିକିଆ ଏବଂ ୧୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଦିନିକିଆ କ୍ରିକେଟର ୪ଟି ଇନିଂସରେ ସେ ୧୮.୭୫ ହାରରେ ମୋଟ ୭୫ ରନ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ଟି-୨୦ର ୧୬ଟି ଇନିଂସରେ ୧୯.୪୦ ହାରରେ ତାଙ୍କ ବ୍ୟାଟରୁ ୨୯୧ ରନ ବାହାରିଛି।

 

Dharitri – Odisha’s No.1 Odia Daily

 

Share
Tags: Chris lynn