ଶ୍ୟାମଳୀ ଥିବାରୁ ଏହି ଅଭିନେତ୍ରୀଙ୍କୁ ଶୁଣିବାକୁ ପଡ଼ିଥିଲା ବହୁ ଅପମାନ…

ମୁମ୍ବାଇ, ୨୭।୬: ନିକଟରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଯୋଗୁ ଦେଶବ୍ୟାପୀ ପ୍ରଦର୍ଶନ ହୋଇଥିଲା। ଏବେ ବିୟୁଟି କ୍ରିମ୍‌ ଉତ୍ପାଦକୁ ନେଇ ବିବାଦ ମଧ୍ୟ ଜାରି ରହିଛି। ଏଭଳି ରଙ୍ଗ ଭେଦଭାବ ଯୋଗୁ ପିଲାଦିନେ ମାନସିକସ୍ତରରେ ବେଶ୍‌ ଆଘାତ ପାଇଥିବା ଅଭିନେତ୍ରୀ ବିପାସା ବାସୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ପିଲାଦିନେ ତାଙ୍କର ଶ୍ୟାମଳୀ ରଙ୍ଗ ଯୋଗୁ ବହୁ ଅପମାନ ଶୁଣିବାକୁ ପଡ଼ିଥିବା ସେ କହିଛନ୍ତି। ତାଙ୍କ କାମ ଅପେକ୍ଷା ଶରୀର ରଙ୍ଗକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। ଏହା ସେତେବେଳେ ତାଙ୍କୁ ବେଶ୍‌ ହତୋତ୍ସାହିତ କରିଦେଉଥିବା ବିପାସା କହିଛନ୍ତି। ସେ ସୁପର ମଡେଲ କଣ୍ଟେଷ୍ଟ୍‌ରେ ବିଜୟୀ ହେବାପରେ ପ୍ରତି ଖବର କାଗଜରେ କୋଲକତାର ଶ୍ୟାମଳୀ ଯୁବତୀ ଓ୍ବିନର ହୋଇଥିବା ଖବର ପ୍ରକାଶିତ ହୋଇଥିଲା। ତେବେ ଲୋକଙ୍କ ଏଭଳି ମାନସିକତା ତାଙ୍କର କାର୍ଯ୍ୟଧାରା ଉପରେ ପ୍ରଭାବ ପକାଇ ପାରି ନ ଥିବା ବିପାସା କହିଛନ୍ତି। ଗତ ୧୮ ବର୍ଷ ମଧ୍ୟରେ ବଡ଼ ବଜେଟର ବହୁ ବିୟୁଟି ଉତ୍ପାଦର ବିଜ୍ଞାପନରେ କାମ କରିବାକୁ ସେ ମନା କରିଦେଇଛନ୍ତି। ଏହାଦ୍ୱାରା କେବଳ ଗ୍ରାହକଙ୍କୁ ଠକା ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଫେୟାର ଆଣ୍ଡ ଲଭ୍‌ଲି ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ରେ ୨ଟି ଫିଲ୍ମରେ କାମ କରିବାକୁ ମନା କରିବା ପରେ ବିପାସା ୨୦୦୧ରେ ‘ଅଜନବୀ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୨ରେ ତାଙ୍କ ଫିଲ୍ମ ‘ରାଜ୍‌’ ବକ୍ସ୍‌ ଅଫିସରେ ହିଟ୍‌ ରହିଥିଲା।

Share