ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ

ଢେଙ୍କାନାଳ ଅଫିସ୍‌/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି ଅଞ୍ଚଳରେ ବାସ କରୁଥିବା ୩୦ ଗ୍ରାମର ୨୫ ହଜାର ବାସିନ୍ଦା ଏକପ୍ରକାର ବନ୍ଦୀ ହୋଇପଡ଼ିଛନ୍ତି। ଯାତାୟାତରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଗରିବ ଜନଜାତି ପରିବାରର ଜୀବନଜୀବିକା ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ ଢେଙ୍କାନାଳ ସ୍ବାଭିମାନ ସୁରକ୍ଷା ମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବନ ବିଭାଗ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ଷଡ଼ଙ୍ଗୀ ରେଞ୍ଜ୍‌ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସେମାନେ ଅନଶନରେ ବସିବା ସହିତ ବିଭାଗୀୟ ଅଧିକାରୀଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ।
ଅଭିଯୋଗ ଅନୁଯାୟୀ, ଅଭୟାରଣ୍ୟ ଅଞ୍ଚଳରେ ଗଁଦିଆ ବ୍ଲକର ୩୦ ଗ୍ରାମ ରହିଛି। ଫୁଲଝର, ପିମ୍ପିରିଆ, ଗହ୍ମାରିଆ, ନେହେଙ୍ଗେରା, ଗୋଠତଳ, ବାଲିକିଆରୀ, ଜମ୍ବୁ, ଦରସାହି ପ୍ରମୁଖ ଆଦିବାସୀ ଗ୍ରାମ ଜଙ୍ଗଲ ଆଭ୍ୟନ୍ତରରେ ଅଛି। ଆଦିବାସୀ ଗ୍ରାମର ବାସିନ୍ଦା ସରକାରଙ୍କ ଜଙ୍ଗଲ ଆଇନରେ ଘରଡିହ ପଟ୍ଟା, ଚାଷଜମି ପାଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲ ସୁରକ୍ଷା କମିଟି କପିଳାସ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଗଁଦିଆ ବ୍ଲକ ମୁଖ୍ୟାଳୟ, ଚିକିତ୍ସାଳୟ ଏବଂ କୋର୍ଟକୁ ଯିବା ଲାଗି ଏହା ପ୍ରମୁଖ ରାସ୍ତା। ଏହା ଉପରେ ବେଗା, ଲାଉଲଇ, ଖଙ୍କିରା, ରତନପୁର, ଲେଥକା ପଞ୍ଚାୟତର ୨୫ହଜାର ଜନସାଧାରଣ ନିର୍ଭର କରିଥାଆନ୍ତି। ବନ ବିଭାଗ ଦ୍ୱାରା ରାସ୍ତାକୁ ବନ୍ଦ କରିଦେବା ଫଳରେ ସେମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ ନନ୍ଦ କୁହନ୍ତି, ଧନିଆନାଳୀ-ଛୋଟତେନ୍ତୁଳି-ଖଙ୍କିରା ରାସ୍ତା ୧୯୪୬ରେ ନିର୍ମାଣ ହୋଇଥିଲା। କେନ୍ଦ୍ର ସରକାରଙ୍କ କପିଳାସ ଅଭୟାରଣ୍ୟ ଆଇନ-୨୦୧୪ ନୋଟିଫିକେଶନ ଉଲ୍ଲଂଘନ କରି ବନ ବିଭାଗ ମନଇଚ୍ଛା ରାସ୍ତା ବନ୍ଦ କରିଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଜଙ୍ଗଲ ଆଇନ-୨୦୦୬ ମଧ୍ୟ ଉଲ୍ଲଂଘନ ହୋଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓଙ୍କ ନାମରେ ନିଲହପ୍ରସାଦ ଥାନାରେ ମାମଲା ରୁଜୁ କରାଯାଇଛି। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଗତ ୧୪ ତାରିଖରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ସମସ୍ୟା ସମାଧାନ କରିବାକୁ ୧୫ଦିନ ତଳେ ଲିଖିତ ଭାବେ ଅବଗତ କରାଯାଇଥିଲା। ତଥାପି ବିଭାଗୀୟ ଅଧିକାରୀ ଏହାକୁ ହାଲୁକା ଭାବେ ନେଉଥିବା ସେ କହିଛନ୍ତି। ଲାଉଲଇ ସମିତିସଭ୍ୟ ଟଙ୍କଧର ବାରିକଙ୍କ ପରିଚାଳନାରେ ଆୟୋଜିତ ଏହି ଅନଶନରେ ମଙ୍ଗରାଜ ବାରିକ, ରବିନାରାୟଣ ସେଠୀ, ଚିନ୍ତାମଣି ତ୍ରିପାଠୀ, ମହେନ୍ଦ୍ର ପିଙ୍ଗୁଆ, ତୋଫାନ ଦାସ, ଲକ୍ଷ୍ମୀଧର ମହନ୍ତ, ଭୀମସେନ ହେମ୍ବ୍ରମ, ତୁଟୁ ପତି, ଗୋବର୍ଦ୍ଧନ ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ରଶ୍ମିରଞ୍ଜନ ସ୍ବାଇଁ କୁହନ୍ତି, ଏସ୍‌ଡିପିଓ ବିକାଶ ବେଉରା, ଥାନାଧିକାରୀ ବିଷ୍ଣୁଚରଣ ବାରିକଙ୍କ ଉପସ୍ଥିତିରେ ବୁଝାଶୁଝା ପରେ ଅନଶନ ପ୍ରତ୍ୟାହୃତ ହୋଇଛି। ଜିଲା ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।