ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩ ପ୍ରତିଶତ ରହିଛି। ନିର୍ବାଚିତ ହୋଇଥିବା ପ୍ରମୁଖ ମୁସଲମାନ ବିଧାୟକ ହେଲେ ମହମ୍ମଦ ଆଜମ ଖାନ୍‌, ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍‌, ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ହୋଇଥିବା ମୁଖ୍‌ତାର ଅନ୍‌ସାରିଙ୍କ ପୁଅ ଆବ୍ବାସ ଏବଂ ପୁତୁରା ମନ୍ନୁ। ଜେଲ୍‌ରେ ଥିବା ଏସ୍‌ପି ନେତା ଆଜମ ଖାନ୍‌ ରାମପୁର ଆସନରୁ ୧,୨୧,୭୫୫ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅମଦୁଲ୍ଲା ଆଜମ୍‌ ସୁଆର ଆସନରୁ ୧,୨୬,୧୬୨ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ମାଉ ଆସନରୁ ଏସ୍‌ବିଏସ୍‌ପି ଟିକେଟରେ ଲଢ଼ୁଥିବା ଆବ୍ବାସ ଅନ୍‌ସାରି ଭାଜପା ପ୍ରାର୍ଥୀ ଅଶୋକ କୁମାର ସିଂଙ୍କୁ ୩୮,୨୨୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ମନ୍ନୁ ଓରଫ ସୁହେବ ଅନ୍‌ସାରି ମହମ୍ମଦାବାଦ ଆସନରୁ ବିଜୟୀ ହୋଇଛନ୍ତି। ସେ ଭାଜପା ବିଧାୟକ ଅଲକା ରାୟଙ୍କୁ ୧୮,୧୯୯ ଭୋଟରେ ପରାଜିତ କରିଛନ୍ତି। ଏଥର ଭାଜପା ୮୮ ମୁସଲମାନ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୭୫ ଏବଂ ସମାଜବାଦୀ ପାର୍ଟି ୬୪ ମୁସଲମାନଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଏହି ସମ୍ପ୍ରଦାୟରୁ ୬୦ରୁ ଅଧିକଙ୍କୁ ଟିକେଟ ଦେଇଥିଲା।

Share