୩ ହୁଣ୍ଡିରୁ ବାହାରିଲା ୧୩ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ, ୮ା୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ପରିସର ହୁଣ୍ଡି ଖୋଲିବା କାର୍ଯ୍ୟ ୬ ମାସ ପରେ ଆରମ୍ଭ ହୋଇଛି। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ମୋଟ ୮ଟି
୩ଟି ଖୋଲାଯାଇ ୧୨,୬୪,୨୪୫ ଟଙ୍କା ସଂଗ୍ରହ କରାଯାଇଛି । ବୁଧବାର ଆଉ ୩ଟି ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ସମୟ ମିଳିଲେ ଅଧିକ ଗୋଟିଏ ହୁଣ୍ଡି ଖୋଲାଯାଇପାରେ । ନଚେତ୍‌ ଫେବୃୟାରୀ ୯ରେ ଅବଶିଷ୍ଟ ହୁଣ୍ଡିଗୁଡିକ ଖୋଲାଯାଇ ଗଣତି ସହ ମୋଟ କେତେ ଟଙ୍କା ସଂଗ୍ରହ ହେଲା ତାହା ସ୍ପଷ୍ଟ କରାଯିବ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ଜିଲା ପ୍ରଶାସନର ଅନୁମତି ମଗାଯାଇଥିଲା । ଅନୁମତି ମିଳିଲା ପରେ ହୁଣ୍ଡି ଖୋଲା ଯାଉଛି। ପ୍ରଥମ ଦିନ ଟଙ୍କା ଗଣତିଠାରୁ ତଦାରଖ ପର୍ଯ୍ୟନ୍ତ ପାଖାପାଖି ୨୦ ଜଣ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜିଲାପାଳଙ୍କ କାର୍ଯ୍ୟାଳୟର ୫ ଜଣ କର୍ମଚାରୀ, ତିର୍ତ୍ତୋଲ ତହସିଲର ୪, ପୋଲିସ ୪, ମନ୍ଦିର କର୍ମଚାରୀ ଓ ପଣ୍ଡା ସେବାୟତଙ୍କ ପକ୍ଷରୁ ତ୍ରିଲୋଚନ ରାଉଳ ସାମିଲ ହୋଇଥିଲେ। ତିର୍ତ୍ତୋଲ ତହସିଲଦାର, ପ୍ରତ୍ନତତ୍ତ୍ବ ବିଭାଗର ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ସାହୁ ଓ ମନ୍ଦିର ନିର୍ବାହୀ ଅଧିକାରୀ ପରିଡ଼ା ପ୍ରମୁଖ ଏହାକୁ ତଦାରଖ କରିଥିଲେ । ସୂଚନାଯୋଗ୍ୟ ଯେ, କୋଭିଡ ସମୟରେ ମନ୍ଦିର ଆୟ ବିଶେଷଭାବେ ପ୍ରଭାବିତ ହୋଇଥିଲା। ଏବେ ହୁଣ୍ଡିରୁ ଯେଉଁ ଦାନ ଅର୍ଥ ବାହାରୁଛି ତାହା ନିଶ୍ଚିତ ଭାବରେ ସନ୍ତୋଷଜନକ ବୋଲି ଅନେକ ପଣ୍ଡା, ପଢିହାରୀ କହିଛନ୍ତି । କିନ୍ତୁ ମନ୍ଦିର ବିକାଶ ପାଇଁ ୪୨ କୋଟି ଅନୁଦାନ ଘୋଷଣା ହୋଇଥିଲେ ସୁଦ୍ଧା କାମ ଆରମ୍ଭରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।