ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ

ବୁଗୁଡା,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍‌ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିଲା। ପୂର୍ବରୁ ୭ ଟିକିଆ ହାତୀପଲ ଏହି ଅଞ୍ଚଳର ଚାଷୀଙ୍କର ଅନେକ କ୍ଷୟକ୍ଷତି କରି ଓଡ଼ଗାଁ ବନାଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ଗତ ରାତିରେ ଅଚାନକ ୧୩ ଟିକିଆ ହାତୀପଲ ପୁଣି ଥରେ ଫେରି ଆସି କରସିଙ୍ଗି ଗ୍ରାମର ଅନେକ ଚାଷୀଙ୍କ ବିଭିନ୍ନ ପନିପରିବା ସହିତ ଅମଳ ଧାନକୁ ଖାଇ ନଷ୍ଟ କରିଦେଇଛନ୍ତି। ସକାଳୁ ହାତୀଙ୍କ ଉପଦ୍ରବ ଦେଖି ଚାଷୀମାନେ ହତାଶ ହୋଇଯାଇଥିଲେ। ବନପାଳ ପଲ୍ଲବୀ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। ହାତୀଙ୍କ ଉପଦ୍ରବରେ ଗଙ୍ଗାଧର ପ୍ରଧାନଙ୍କ ଖଳାରେ ଥିବା ୩୫ ବସ୍ତା ଧାନକୁ ଖାଇ ନଷ୍ଟ କରିବା ସହ ରମେଶ ଚନ୍ଦ୍ର ବାରିକ, ସମିତା ବାରିକ, ସନ୍ଧ୍ୟା ବାରିକ, ଦେବ ସେଠୀ, ସୁଶାନ୍ତ ସେଠୀଙ୍କ ବ୍ୟାପକ ପନିପରିବା ମଧ୍ୟ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦିଓ ସରକାର କ୍ଷତିଗ୍ରସ୍ଥ ଚାଷୀଙ୍କୁ କିଛି ସହାୟତା ରାଶି ଯୋଗାଉଛନ୍ତି ତାହା ଚାଷୀଙ୍କ ପରିଶ୍ରମ ମୂଲ୍ୟର ସମୁଦ୍ରକୁ ଶଙ୍ଖେ ପାଣି ଭଳି। ଏହି ଅଞ୍ଚଳରେ ବନ୍ୟ ପ୍ରାଣୀଙ୍କ ଦ୍ୱାରା ଚାଷୀଙ୍କ ଅନେକ ପନିପରିବା, ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏହାର ପ୍ରତିକାରରେ ସଫଳ ହୋଇପାରୁନାହିଁ। ବନ ବିଭାଗ ପକ୍ଷରୁ ଜଙ୍ଗଲରେ ରାତ୍ର ପାଟ୍ରୋଲିଂ ଠିକ୍‌ ଭାବରେ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବୁଗୁଡା ବନାଞ୍ଚଳ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ପଚାରିବାରେ ଏହାକୁ ଖଣ୍ଡନ କରି ଜଙ୍ଗଲରେ କର୍ମଚାରୀମାନେ ରାତି ପାଟ୍ରୋଲିଂ କରୁଛନ୍ତି। ଗତ ୧୫ ଦିନ ତଳେ ରାତ୍ର ପାଟ୍ରୋଲିଂ କରିବା ସମୟରେ ହାତୀପଲ ହାବୁଡ଼ରେ ପଡ଼ି ବନରକ୍ଷୀ ହୃଷିକେଶ ପାଣିଗ୍ରାହୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଥିଲେ।