ପାଚେରି ନିର୍ମାଣକୁ ବିରୋଧ ମାମଲାରେ ୧୩ ଗିରଫ

ଧର୍ମଶାଳା/ଜେନାପୁର,୧୫ା୧ (ଡି.ଏନ.ଏ.): ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ ମାମଲାରେ ପୋଲିସ ଶୁକ୍ରବାର ୧୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିକୁଦିଆ ଗ୍ରାମର ରମେଶ ମଲିକ, ପ୍ରତାପ ମଲିକ, ଘୁଷୁରିଆ ମଲିକ, ସୁରେଶ ମଲିକ, କାବୁଲା ମଲିକ, ପ୍ରଫୁଲ୍ଲ ମଲିକ, ବିଦ୍ୟାଧର ମଲିକ, ଆର୍ତ୍ତ ମଲିକ, ଧୀର ମଲିକ, ରାହାସ ମଲିକ, ପ୍ରମୋଦ ମଲିକ, ରମେଶ ମଲିକ ଓ ସନାତନ ମଲିକ। ଏମାନଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।
୧୧ ତାରିଖରେ ପାନୀୟ ଜଳ ପ୍ରକଳ୍ପର ପାଚେରି ନିର୍ମାଣକୁ ସ୍ଥାନୀୟ ଦଳିତ ସାହି ଲୋକେ ବିରୋଧ କରିଥିଲେ। ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଥାନା ଅଧିକାରୀ ଉମାକାନ୍ତ ନାୟକ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ତେବେ ତହସିଲଦାର ଓ ମେଗା ପାନୀୟ ଜଳ ପ୍ରକଳ୍ପ ଅଧିକାରୀ ପୁରୁଷୋତ୍ତମ ରାଓ ଉତ୍ତ୍ୟକ୍ତ ଲୋକଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରି ଲୋକେ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଗାଡ଼ି ଭଙ୍ଗାରୁଜା କରିଥିଲେ। ଏସମ୍ପର୍କରେ କମ୍ପାନୀ ପକ୍ଷରୁ ପୁରୁଷୋତ୍ତମ ରାଓ ଭାଜପା ନେତ୍ରୀ ସ୍ମୃତିରେଖା ପହି, ରାଇଛନ୍ଦା ଗ୍ରାମର ବିଷ୍ଣୁ ଚରଣ ସାହୁ ଓ ଅରୁଣ ଲେଙ୍କାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ତରଫରୁ ଜାତିଆଣା ଆକ୍ଷେପକୁ ନେଇ ଅଭିଯୋଗ ହୋଇଥିଲା। ତେବେ ଘଟଣାର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ନେଇ ବୁଧବାର ମର୍ଜିତାପୁର କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ହୋଇଥିଲା। ଏଥିରେ କୌଣସି ସମାଧାନର ସୁତ୍ର ବାହାରି ନ ଥିଲା। ପୋଲିସ ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ନଂ.୧୧ା୨୨ ଓ ୧୪ା୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି।