ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜ୍ୟରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜଧାନୀ ପାଟନାର ଆଇଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଏବେ ଜଣେ ୮ ବର୍ଷ ବୟସ୍କ ଶିଶୁଙ୍କୁ ନେଇ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଶିଶୁଙ୍କଠାରେ କୌଣସି କରୋନା ସଂକ୍ରମଣ ପ୍ରକାଶ ପାଇ ନ ଥିଲେ ବି ତାଙ୍କର ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ ହୋଇ ସାରିଛି। ଏହା ଯୋଗୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସମ୍ପୃକ୍ତ ଶିଶୁଙ୍କର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ ଏବଂ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍‌ ଆସିଥିଲା। ମାତ୍ର ଶିଶୁଙ୍କର ଫୁସ୍‌ଫୁସ୍‌ ସହିତ ଲିଭର ଏବଂ କିଡ୍‌ନୀରେ କରୋନା ସଂକ୍ରମଣ ଦେଖାଯାଇଛି। ଶିଶୁଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ କେହି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିଶୁଙ୍କ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମେ‘ ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share