ପୁଣେରେ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ

ପୁଣେ,୨୦ା୯: ମହାମାରୀ କରୋନା ଭାଇରସ୍‌ ରୋକିବାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭାରତର ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତା ସପ୍ତାହରେ ପୁଣେରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୁଣେର ସସୁନ ଜେନେରାଲ ହସ୍ପିଟାଲରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଡିନ୍‌ ଡାକ୍ତର ମୁରଲୀଧର ଟାମ୍ବେ ପିଟିଆଇକୁ ସୂଚନା ଦେଇଛନ୍ତି। ଡାକ୍ତର ଟାମ୍ବେ କହିଛନ୍ତି, କୋଭିସିଲ୍ଡ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ବହୁ ପୂର୍ବରୁ କେତେଜଣ ସ୍ବେଚ୍ଛାସେବୀ ଆଗେଇ ଆସିଛନ୍ତି। ପାଖାପାଖି ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କୁ ଏହି ଟିକାର ଡୋଜ୍‌ ଦିଆଯିବ। ଏହା ପୂର୍ବରୁ ହସ୍ପିଟାଲରେ ସେମାନଙ୍କ ନାମ ପଞ୍ଜୀକରଣ ଆରମ୍ଭ ହେବ। ଯେଉଁମାନେ ଏହି ଟ୍ରାଏଲରେ ସାମିଲ ହେବାକୁ ଚାହାନ୍ତି ସେମାନେ ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ। ସବୁକିଛି ଠିକ୍‌ଠାକ୍‌ ଚାଲିଲେ ଆସନ୍ତା ସୋମବାରଠାରୁ ଏହି ଟ୍ରାଏଲ ଆରମ୍ଭ ହୋଇପାରେ ବୋଲି ଡାକ୍ତର ଟାମ୍ବେ ପ୍ରକାଶ କରିଛନ୍ତି।

Share