ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଶୀତରେ ଦର୍ଶକମାନେ ଉଭୟନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ମସଗୁଲ ହୋଇଥିଲେ। ତୃତୀୟଦିବସ କାର୍ଯ୍ୟକ୍ରମରେ ତହସିଲଦାର ଧୀରଜ ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କଂହର, ଅନ୍ୟ ତମ ଅତିଥି ରୂପେ ଅତିତିକ୍ତ ଏସପି ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଏସ୍ଡିପିଓ ଶୁଭମ ଭୋସଲେ, ପ୍ରୋବେଶନର ଆଇପିଏସ ଶ୍ରୀନିବାସଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ବିଡ଼ିଓ ପ୍ରୀତିରଞ୍ଜନ ରଥ ଉପସ୍ଥିତ ଥିଲେ। ଦାରିଙ୍ଗବାଡି ଶୀତ ମହୋତ୍ସବ ଏକ ମହୋତ୍ସବ ନୁହେଁ ଏହା ସ୍ଥାନୀୟ ଅଧିବାସୀଙ୍କ ଭାବାବେଗକୁ ପରିପ୍ରକାଶ କରିଥାଏ ବୋଲି ଅତିଥିମାନେ କହିଥିଲେ। ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଶୀତ ଯୋଗୁ ଏହାକୁ ଓଡିଶାର କାଶ୍ମୀର ବୋଲି ପର୍ଯ୍ୟଟକମାନେ ମନେ କରିଥାନ୍ତି ବୋଲି ସେମାନେ ମତ ରଖିଥିଲେ।

ଦିବସର କାର୍ଯ୍ୟକ୍ରମ ପରେ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟବାସୀ ଓ ପର୍ଯ୍ୟଟକଙ୍କ ପାଇଁ ଥିଲା ଆହୁରି ମନୋହର। ଶିବାନନ୍ଦ ବାରିକ ଏବଂ ଶୋଭାଣଙ୍କ ସଂଯୋଜନାରେ ହେରି ଓ ପ୍ରିୟମ୍ବଦାଙ୍କ ଯୋଡି ଓ ସେମାନଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ଓଡ଼ିଆ ଚଳଚିତ୍ର ସଂଳାପ ଲେଖକ ତଥା ଛୋଟ ପରଦାର କଳାକାର ବ୍ୟାଙ୍ଗକବି ପ୍ରିୟବ୍ରତ ପଣ୍ଡାଙ୍କ ଦ୍ୱାରା ବ୍ୟାଙ୍ଗକବିତା ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲା।

ବ୍ୟାଙ୍ଗକବି ଜ୍ଞାନ ହୋତା ମଧ୍ୟ ଥିଲେ ଏହି ସନ୍ଧ୍ୟାର ବିଶେଷ ଆକର୍ଷଣ। ତାଙ୍କ ବ୍ୟଙ୍ଗର ପରିବେଷଣ ଶୈଳୀ ଦର୍ଶକଙ୍କୁ ବେଶ୍ ହସର ଖୋରାକ ଯୋଗାଇଥିଲା।

ସେହିପରି ବର୍ଷା ସେନଙ୍କ ଓଡିଶୀ, ବ୍ୟାଙ୍ଗକବି ସୁଶାନ୍ତ ମିଶ୍ରଙ୍କ ବ୍ୟଙ୍ଗ କବିତା, ସମ୍ବଲପୁର ସର୍ବେଶ୍ୱର ଭୋଇଙ୍କ ମେଲୋଡି, ଆଲୋକ ବିଷୋୟୀଙ୍କ ପଶୁ ମୁଖ ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଚାଙ୍ଗୁ ନୃତ୍ୟ ଶୀତ କାକରରେ ବି ଦର୍ଶକ ଓ ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲା।



