Categories: ଜାତୀୟ

ଚୋର ମୁହଁ ଟାଣ: ସୀମା ଉତ୍ତେଜନା ପାଇଁ ଭାରତକୁ ଦାୟୀ କଲା ଚାଇନା

ମସ୍କୋ/ନୂଆଦିଲ୍ଲୀ, ୫।୯: କଥାରେ ଅଛି ଚୋର ମୁହଁ ଟାଣ। ଏହା ଚାଇନା ପାଇଁ ଏବେ ପ୍ରଯୁଜ୍ୟ ହୋଇଛି। ରୁଷ୍‌ରେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଚାଇନା ପ୍ରତିପକ୍ଷ ଓ୍ବେଇ ଫେଙ୍ଗହିଙ୍କର ଅଢ଼େଇ ଘଣ୍ଟା ଆଲୋଚନା ହୋଇଛି। ସୀମା ବିବାଦ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ଚାଇନାରା ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଉତ୍ତେଜନା ପାଇଁ ଭାରତକୁ ଦାୟୀ କରିଛନ୍ତି। ଧମକ ଭରା ଢ଼ଙ୍ଗରେ ସେ କହିଛନ୍ତି ଯେ, ଚାଇନା ନିଜ ଜମିର ସୁରକ୍ଷା ଲାଗି ସମ୍ପୂର୍ଣ୍ଣ ସକ୍ଷମ ଏବଂ ପ୍ରତିବଦ୍ଧ। ଏହାର ଉତ୍ତରରେ ରାଜନାଥ ସିଂ କହିଛନ୍ତି ଯେ, ସୀମାରେ ଚାଇନା ସୈନ୍ୟଙ୍କ ଆଚରଣ ଆକ୍ରମଣାତ୍ମକ ରହିଛି। ଅପରପକ୍ଷରେ ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରି ଆସିଛନ୍ତି। ସୀମାରେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଇବା ଦ୍ୱାରା ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି। ଭାରତର ଅଖଣ୍ଡତା ଏବଂ ସୀମା ସହିତ କୌଣସି ସାଲିସ କରାଯିବ ନାହିଁ ବୋଲି ରାଜନାଥ ରୋକ୍‌ଠୋକ୍‌ କହିଛନ୍ତି। ବିବାଦ ବଢ଼ିବା ଭଳି କାର୍ଯ୍ୟ ନ କରିବାକୁ ସେ ଚାଇନା ପ୍ରତିପକ୍ଷଙ୍କୁ କହିଛନ୍ତି। ଭାରତ ସହିତ ମିଶି ଶାନ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ରାଜନାଥ ଚାଇନା ପ୍ରତିପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

Share