ରାଜଧାନୀରେ ମାତିଛନ୍ତି ଚୋର ଗ୍ୟାଙ୍ଗ୍‌: ବାଲ୍‌କୋନି କବାଟ ଭାଙ୍ଗି ନେଇଗଲେ ୨୦ଲକ୍ଷ ଟଙ୍କାର ଗହଣା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ଅନ୍ଧାର ବଢ଼ିବାମାତ୍ରେ ଗଳିକନ୍ଦିରୁ ରାଜରାସ୍ତା ସବୁଠି ଅପରାଧୀଙ୍କ ରାଜ୍‌ ଚାଲୁଛି। ଲୋକେ ଶୋଇଯିବା ପରେ କମିଶନରେଟ ପୋଲିସ ବି ଶୋଇଯାଉଛି। ପାଟ୍ରୋଲିଂ ଠିକ୍‌ ହେଉ ନ ଥିବାରୁ ବାରମ୍ବାର ଚୋରି, ଡକାୟତି, ଲୁଟ୍‌, ହତ୍ୟା ଭଳି ଘଟଣା ଘଟୁଛି। ଦୁଇ ରାତିରେ ଭୁବନେଶ୍ୱରରେ ଦୁଇଟି ବଡ଼ ଧରଣର ଚୋରି ହୋଇଛି। ଶୁକ୍ରବାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥନଗରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଗହଣା ଓ ୪୫ହଜାର ଟଙ୍କା ଚୋରି କରିନେଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ବୈରାଗୀ ନଗରରେ ଆଉଏକ ଚୋରି ହୋଇଛି। ଚୋରମାନେ ଏଠାରେ ରହୁଥିବା ଜିତେନ୍ଦ୍ର ଜେନାଙ୍କ ଘର ବାଲ୍‌କୋନି କବାଟ ଭାଙ୍ଗି ୫ଶହ ଗ୍ରାମ ସୁନା ଗହଣା ଓ ନଗଦ ୫୦ହଜାର ଟଙ୍କା ନେଇଯାଇଛନ୍ତି। ଖବର ପାଇ ରବିବାର ସକାଳେ ଜୋନ୍‌-୪ ଏସିପି ରଜତ ରଏ ଓ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ୍‌ ଓ ତଦନ୍ତ ଆରମ୍ଭ କରିଛନ୍ତି। ଜିତେନ୍ଦ୍ରଙ୍କ ଅନୁପସ୍ଥିତିରେ ଉକ୍ତ କୋଠାର ତଳ ମହଲାରେ ରହୁଥିବା ହରିଶଚନ୍ଦ୍ର ଜେନାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୩୨୮/୨୧) ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ଜିତେନ୍ଦ୍ର କିଛିଦିନ ହେବ ଗୁଜରାଟ ଯାଇଥିବାରୁ ଘର ବନ୍ଦ ଥିଲା। ଏଠାରୁ ଚୋରି ପାଇଁ ଚୋର ଗ୍ୟାଙ୍ଗ୍‌ ଟାର୍ଗେଟ କରିଥିଲେ। ଶନିବାର ବିଳମ୍ବିତ ରାତିରେ ବାଲ୍‌କୋନି ପଟ କବାଟ ଭାଙ୍ଗି ଭିତରେ ପଶି ଚୋରି କରି ଚମ୍ପଟ ମାରିଥିଲେ। ସକାଳୁ କବାଟ ଭଙ୍ଗା ହୋଇଥିବା ଓ ଘରର ଆସବାବପତ୍ର ଚାରିଆଡେ ଫୋପଡା ହୋଇଥିବା ଦେଖି ହରିଶଚନ୍ଦ୍ର ଥାନାକୁ ଖବର ଦେଇଥିଲେ।
ଶୁକ୍ରବାର ରାତିରେ ମଧ୍ୟ ସମାନ ଢଙ୍ଗରେ ଜଗନ୍ନାଥନଗର ଲେନ୍‌ ନଂ. ୮ରେ ରହୁଥିବା ଶିବଦତ୍ତ ମହାପାତ୍ରଙ୍କ ଘର ଝରକା ତାଡି ଚୋରି କରିଥିଲେ ଦୁର୍ବୃତ୍ତ। ଶିବଦତ୍ତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଦଶହରା ଛୁଟି ଥିବାରୁ ସେ ବୁଧବାରଠାରୁ ନିଜ ଗାଁକୁ ଚାଲିଯାଇଥିଲେ। ଶନିବାର ସକାଳେ ଗାଁରୁ ଫେରି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କ ଆଲମାରିରୁ ୨ଟି ସୁନା ଚେନ, ୪ ହଳ କାନଫୁଲ ଓ ୬ଟି ମୁଦି ସହ ୪୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏହି ଦୁଇ ଘଟଣାରେ ଅଭିଯୁକ୍ତଙ୍କ ସୁରାକ ପାଇପାରିନାହିଁ।