ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…

ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ କେହି ଶୁଣି ଆଶ୍ଚର୍ଯ୍ୟ ହେବେ । ତେବେ ଚୋରମାନେ ଏହା କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଚୋରମାନେ ମୁଜାଫରପୁରର ଏକ ମୋବାଇଲ ଟାୱାର ଚୋରି କରିଛନ୍ତି। କୁହାଯାଉଛି ଯେ ଟାୱାର ଅନେକ ଦିନ ଧରି କାମ କରୁ ନ ଥିଲା। ଯେତେବେଳେ ଲୋକମାନେ ଦେଖିବାକୁ ସେଠାରେ ପହଞ୍ଚିଲେ, ପୁରା ଟାୱାର ନିଖୋଜ ଥିଲା। ଏହା ପରେ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ଟାୱାରର ମୂଲ୍ୟ ପ୍ରାୟ ୪.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ଏହି ମାମଲା ଜିଲାର ସଦର ପୋଲିସ ଷ୍ଟେଶନର ଶ୍ରମଜୀବୀ ନଗରରେ ଘଟିଛି। ଯେଉଁଠାରେ ଅକାମୀ ମୋବାଇଲ ଟାୱାରକୁ ଚୋରି କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବାସ୍ତବରେ, ମୁଜାଫରପୁରର ସଦର ପୋଲିସ ଷ୍ଟେଶନ ଅଞ୍ଚଳରେ ସ୍ଥାପିତ ଏକ ମୋବାଇଲ ଟାୱାର ସ୍ଥାପନ ଅଧିକାରୀ ମହମ୍ମଦ ଶାହନାୱାଜ ଅନୱାରଙ୍କୁ ଅନ୍ୟାନ୍ୟ ଉପକରଣ ସହିତ ଟାୱାର ମଧ୍ୟ ମିଳିଲା ନ ଥିଲା। ଏନେଇ ସେ ଜିଲାର ସଦର ପୋଲିସ ଷ୍ଟେଶନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମନୀଷା କୁମାରୀଙ୍କ ଆବାସିକ କମ୍ପ୍ଲେକ୍ସରେ ଜିଟିଏଲ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଏକ ମୋବାଇଲ ଟାୱାର ସ୍ଥାପନ କରିଥିଲା, କିନ୍ତୁ କିଛି ଦିନ ଧରି ଏହା କାମ କରୁ ନ ଥିଲା। ଚୋରମାନେ ଡିଜେଲ ଜେନେରେଟର ଏସଏମପିଏଫ ଷ୍ଟାବିଲାଇଜରକୁ ମଧ୍ୟ ନେଇ ଯାଇଥିଲେ। ଯାହାର ମୂଲ୍ୟ ବର୍ତ୍ତମାନ ସାଢ଼େ ଚାରି ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

ଏନେଇ ସ୍ଥାନୀୟ ଲୋକ କହିଛନ୍ତି କିଛି ଦିନ ପୂର୍ବରୁ ୫ ଜଣ ଲୋକ ମୋବାଇଲ ଟାୱାର ଖୋଲିବାକୁ ଆସିଥିଲେ। ମୋବାଇଲ ଟାୱାର ଖୋଲିବା ପରେ ଏହାକୁ ଏକ ଟ୍ରକରେ ଲୋଡ କରି ସେମାନେ ଚାଲିଯାଇଥିଲେ। ଅନ୍ୟପକ୍ଷରେ ସଦର ପୋଲିସ ଷ୍ଟେଶନର ଏସଏଚଓ ସତ୍ୟେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମୋବାଇଲ ଟାୱାର ଏବଂ ଏହାର ଆନୁଷଙ୍ଗିକ ସାମଗ୍ରୀ ଚୋରି ହୋଇଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି।

 

Share