Categories: ଜାତୀୟ

ପୋଲିସ ଘରେ ଚୋରି କରି ଚିଠି ଛାଡ଼ିଗଲା ଚୋର

ଭିଣ୍ଡ,୬।୭: ମଧ୍ୟପ୍ରଦେଶର ଭିଣ୍ଡ ସହରର ଜଣେ ପୋଲିସଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି କଲା ପରେ ଏକ ଚିଠି ଛାଡ଼ି ଯାଇଛି ଚୋର। ଉକ୍ତ ଚିଠିରେ କ୍ଷମା ମାଗିବା ସହ ବନ୍ଧୁଙ୍କ ଜୀବନ ବଞ୍ଚାଇବା ଲାଗି ଚୋରି କରୁଥିବା ଉଲ୍ଲେଖ ରହିଛି ବୋଲି ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି।

ଛତିଶଗଡ଼ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଘରେ ଚୋରି ହୋଇଥିଲା ବୋଲି କୋଟଓ୍ବାଲି ଥାନାର ଏଏସ୍‌ଆଇ କମଳେଶ କାଟାରେ କହିଛନ୍ତି। ଚୋର ଛାଡ଼ି ଯାଇଥିବା ଚିଠିରେ ଉଲ୍ଲେଖ ଥିଲା, ବାଧ୍ୟ ହୋଇ ଚୋରୁ କରୁଛି। ଏଥି ଲାଗି ମୁଁ ଦୁଃଖିତ। ଏହା ନ କଲେ ମୋ ବନ୍ଧୁଙ୍କ ଜୀବନ ବଞ୍ଚିପାରିବ ନାହିଁ। ଚିନ୍ତା କର ନାହିଁ, ମୋ ପାଖରେ ଟଙ୍କା ହେଲେ ଫେରାଇ ଦେବି।

ପୋଲିସ କର୍ମଚାରୀଙ୍କ ପତ୍ନୀ ଓ ପିଲମାନେ ଗତ ୩୦ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସୋମବାର ମଧ୍ୟରାତିରେ ଫେରିବା ପରେ ଜାଣିବାକୁ ପାଇଥିଲେ ଚୋରି ସମ୍ପର୍କରେ। କିଛି ରୂପା ଓ ସୁନା ଅଳଙ୍କାର ଚୋରି ହୋଇଛି। ଏହା ପଛରେ ପରିବାର କେହି ଜଣାଶୁଣା ବ୍ୟକ୍ତି ଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ।

Share