ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ସହିତ ହସ ମଧ୍ୟ ଲାଗିବ। ଗୋଦାବରୀ ଜିଲାର ଗୋକବାରମ ଜିଲାର ୨୧ ବର୍ଷୀୟ ସୁରୀ ବାବୁ ସେଠାରେ ରହୁଥିବା ସତୀ ଭେଙ୍କଟ ରେଡ୍ଡୀଙ୍କ ଘରେ କଳାକନା ବୁଲାଇବା ଉଦ୍ଦେଶ୍ୟରେ ପଶିଥିଲା। ଯେହେତୁ ଭେଙ୍କଟ ଜଣେ ପେଟ୍ରୋଲ ପମ୍ପର ମାଲିକ ତେଣୁ ତାଙ୍କ ଘରେ ପ୍ରଚୁର ଅର୍ଥ ଥିବା ଭାବି ସୁରୀ ଚୋରି ଉଦ୍ଦେଶ୍ୟରେ ଯାଇଥିଲା।

ଭୋର ୪ଟା ସମୟରେ ଭେଙ୍କଟ ଶୋଉଥିବା ରୁମ୍‌ରେ ସୁରୀ ପ୍ରବେଶ କରିଥିଲା। ଧରା ପଡ଼ିଯିବା ଭୟରେ ସୁରୀ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିଲା। କିନ୍ତୁ ଦିନ ସାରା କ୍ଲାନ୍ତ ଥିବା ସୁରୀଙ୍କୁ ଭେଙ୍କଟଙ୍କ ଏସି କକ୍ଷରେ ପ୍ରବେଶ କରିବା ମାତ୍ରେ ନିଦ ଆସି ଯାଇଥିଲା। ତେଣୁ ସେ ଭେଙ୍କଟଙ୍କ ଖଟ ତଳେ ଶୋଇ ପଡ଼ିଥିଲେ। କିଛି ସମୟ ପରେ ସୁରୀଙ୍କ ଘୁଙ୍ଗୁଡି ଶବ୍ଦରେ ଭେଙ୍କଟଙ୍କ ନିଦ ଭାଙ୍ଗି ଯାଇଥିଲା। ଏହାପରେ ଭେଙ୍କଟ ବାହାର ପଟୁ କବାଟ ଦେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରୀଙ୍କୁ ଗିରଫ କରିଥିଲା।

Share