ମୃତ୍ୟୁମୁଖରୁ ବଞ୍ଚିଗଲେ ଏହି ଦୁଇ ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ ଅସଲ କାରଣ…

ମୁମ୍ବାଇ: ନ୍ୟାଶନାଲ କ୍ରସ୍‌ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ଉକ୍ତ ବିମାନଟିକୁ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣାରେ ଅଭିନେତ୍ରୀ ଏବଂ ଯାତ୍ରୀମାନେ ବହୁତ ଡରି ଯାଇଥିଲେ। ରଶ୍ମିକା ନିଜେ ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନରେ ବସିଥିବା ସମୟରେ ରଶ୍ମିକା ଏକ ଫଟୋ ଶେୟାର କରିଛନ୍ତି।

ରଶ୍ମିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ଯାତ୍ରା କରୁଥିଲେ। ଇନ୍‌ଷ୍ଟାଗ୍ରାମରେ ରଶ୍ମିକା ଶ୍ରଦ୍ଧାଙ୍କ ସହ ଏକ ସେଲଫି ଶେୟାର କରି ଲେଖିଛନ୍ତି, ‘କେବଳ ଆପଣଙ୍କ ସୂଚନା ପାଇଁ, ଆଜି ଆମେ କିପରି ମୃତ୍ୟୁରୁ ରକ୍ଷା ପାଇଲୁ …’ ଏକ ରିପୋର୍ଟ ଅନୁଯାୟୀ, ଏହି ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥିପାଇଁ ବିମାନରେ ଥିବା ଲୋକମାନେ ଭୟଭୀତ ହୋଇଥିଲେ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ବିମାନଟି ଉଡ଼ାଣ ୩୦ ମିନିଟ୍‌ ପରେ ମୁମ୍ବାଇ ଫେରିଛି, ଯାହା ଦ୍ୱାରା ଏହାର ବୈଷୟିକ ତ୍ରୁଟି ଅନୁସନ୍ଧାନ କରାଯାଇପାରିବ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ରଶ୍ମିକା ଶେୟାର କରିଥିବା ଫଟୋରେ ସେ ଏବଂ ଅଭିନେତ୍ରୀ ଶ୍ରଦ୍ଧା ହସୁଥିବା ଦେଖିବାକୁ ମିଳିଛି। ସେ କ୍ୟାପଶନରେ ଏକ ହସୁଥିବା ଇମୋଜି ମଧ୍ୟ ଦେଇଛନ୍ତି।

ତେଲଗୁ, ତାମିଲ ଏବଂ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଦାସ ଅନ୍ୟତମ। ରଶ୍ମିକା ପୁଷ୍ପା: ଦି ରାଇଜ ମାଧ୍ୟମରେ ଦକ୍ଷିଣ ତଥା ଉତ୍ତରରେ ଲୋକପ୍ରିୟତା ହାସଲ କରିଛନ୍ତି। ଆଜିକାଲି ସେ ‘ଆନିମଲ’ ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। ଏଥିରେ ତାଙ୍କୁ ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସନ୍ଦୀପ ରେଡ୍ଡୀ ଭାଙ୍ଗା।

Share