ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍ରେ କେଉଁ ବ୍ୟାଟରମାନେ ରାଜ କରିବେ, ସେନେଇ ସେ ୫ ଜଣ ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଭାରତର ଦୁଇ ଯୁବ ବ୍ୟାଟର୍ ଶୁବମନ ଗିଲ ଓ ଯଶସ୍ବୀ ଜୟସ୍ବାଲ ସ୍ଥାନ ପାଇଛନ୍ତି।
୧୬ ବର୍ଷର ଚମତ୍କାର ଅନ୍ତର୍ଜାତୀୟ କ୍ୟାରିୟର ପରେ କ୍ରିକେଟରୁ ବିଦାୟ ନେଇଥିବା ୱିଲିୟମସନଙ୍କ ନାଁରେ ୩୩ଟି ଟେଷ୍ଟ ଶତକ ଓ ୯୫୧୫ ରନ ରହିଛି। ସେ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଂର ଶୀର୍ଷ ସ୍ଥାନରେ ମଧ୍ୟ ରହିଥିଲେ। ନିକଟରେ ତାଙ୍କ ଆତ୍ମଜୀବନୀ ‘ଦି ବେୟାର ମାର୍ଜିନ୍ସ’ ପ୍ରକାଶ ପାଇଛି।
ଭବିଷ୍ୟତରେ ଟେଷ୍ଟ କ୍ରିକେଟ୍ର ନୂଆ ‘ଫ୍ୟାବ ଫୋର୍’ କିମ୍ବା ଏଲିଟ ର୍ରୁପ୍ରେ କେଉଁମାନେ ସ୍ଥାନ ପାଇପାରିବେ ବୋଲି ନାସିର ହୁସେନ ପଚାରିବାରୁ ୱିଲିୟମସନ ୫ ଜଣ ବ୍ୟାରଙ୍କ ନାଁ ନେଇଥିଲେ। ସେମାନେ ହେଲେ ଇଂଲଣ୍ଡର ହ୍ୟାରି ବ୍ରୁକ, ଭାରତର ଶୁବମନ ଗିଲ ଓ ଯଶସ୍ବୀ ଜୟସ୍ବାଲ, ଅଷ୍ଟ୍ରେଲିଆର କାମେରନ ଗ୍ରୀନ ଏବଂ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର।
ୱିଲିୟମସନଙ୍କ ମତରେ, ରାଚିନ ରବୀନ୍ଦ୍ରଙ୍କ ପାଇଁ ଭିନ୍ନ ଭିନ୍ନ ଫର୍ମାଟରେ ବଢ଼ୁଥିବା କ୍ରିକେଟ୍ର ଚାପ ଏକ ବଡ଼ ଆହ୍ବାନ ହୋଇପାରେ। ତେବେ ତାଙ୍କ ପ୍ରତିଭା ତାଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ଯୋଗ୍ୟ କରିଛି।