ଗୋଟିଏ ସ୍କୁଲରୁ ବାହାରିଛନ୍ତି ଏହି ୪ ଅନ୍ତର୍ଜାତୀୟ କ୍ରିକେଟର: କ୍ରିକେଟ୍‌ ଜଗତରେ କରୁଛନ୍ତି ଧମାଲ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ଜଗତରେ ନିଜ ପ୍ରତିଭା ବଳରେ ଅନେକ ଖେଳାଳି ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆପଣ ଜାଣନ୍ତି କି ଏପରି ଏକ ସ୍କୁଲ ରହିଛି, ଯେଉଁଠାରୁ ପାଠ ପଢ଼ି ୪ ଜଣ କ୍ରିକେଟର ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି? ଏହି ସ୍କୁଲରୁ ମୋଟ ୫ ଜଣ ଛାତ୍ର କ୍ରିକେଟର ଭାବେ ନିଜର କ୍ୟାରିୟର ଗଢ଼ିଥିବା ବେଳେ ୪ ଜଣ ଇଂଲଣ୍ଡର ଜାତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି।

ଏହି ସ୍କୁଲଟି ଭାରତରେ ନୁହେଁ, ବରଂ ଇଂଲଣ୍ଡର ଟାଉଣ୍ଟନଠାରେ ଅବସ୍ଥିତ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ କିଙ୍ଗ୍ସ କଲେଜ (King’s College)। ଏହି ସ୍କୁଲର ପୂର୍ବତନ ଛାତ୍ର ହେଉଛନ୍ତି ଜୋସ ବଟଲର, ଟମ ବାଣ୍ଟନ, ସନି ବେକର ଓ ଜେମ୍ସ ରିୟୁ। ଏହି ଚାରି ଜଣ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିସାରିଛନ୍ତି।

ଜୋସ ବଟଲର: ଇଂଲଣ୍ଡର ଷ୍ଟାର ୱିକେଟକିପର ବ୍ୟାଟର ଜୋସ ବଟଲର ଏହି ସ୍କୁଲର ସବୁଠାରୁ ଚର୍ଚ୍ଚିତ ପୂର୍ବତନ ଛାତ୍ର। ୨୦୧୧ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଟେଷ୍ଟ, ଦିନିକିଆ ଓ ଟି-୨୦ ତିନୋଟି ଫର୍ମାଟରେ ଇଂଲଣ୍ଡ ପାଇଁ ଖେଳି ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।

ଟମ ବାଣ୍ଟନ: ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟର ଟମ ବାଣ୍ଟନ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ପାଇଁ ଦିନିକିଆ ଓ ଟି-୨୦ ଫର୍ମାଟରେ ଖେଳିଛନ୍ତି।

ସନି ବେକର: ଇଂଲଣ୍ଡର ଯୁବ ଦ୍ରୁତ ବୋଲର ସନି ବେକର ୨୦୨୫ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ସେ ଟେଷ୍ଟ, ଦିନିକିଆ ଓ ଟି-୨୦ ତିନୋଟି ଫର୍ମାଟରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିସାରିଛନ୍ତି।

ଜେମ୍ସ ରିୟୁ: ଇଂଲଣ୍ଡର ଯୁବ କ୍ରିକେଟର ଜେମ୍ସ ରିୟୁ ୨୦୨୬ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଇଂଲଣ୍ଡ ପାଇଁ ଗୋଟିଏ ଅନ୍ତର୍ଜାତୀୟ ଫର୍ମାଟରେ ଖେଳିଛନ୍ତି।

କିଙ୍ଗ୍ସ କଲେଜରୁ ପାଠ ପଢ଼ିଥିବା ପଞ୍ଚମ କ୍ରିକେଟର ହେଉଛନ୍ତି ଥୋମାସ ରିୟୁ। ସେ ଜେମ୍ସ ରିୟୁଙ୍କ ସାନ ଭାଇ। କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇଂଲଣ୍ଡର ସିନିୟର ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇନାହାନ୍ତି।

ଗୋଟିଏ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ି ପାଞ୍ଚ ଜଣ ଛାତ୍ର କ୍ରିକେଟର ଭାବେ ନିଜର ପରିଚୟ ଗଢ଼ିବା ଏବଂ ସେମାନଙ୍କ ମଧ୍ୟରୁ ଚାରି ଜଣ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଖେଳିବା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି।

 

Dharitri – Odisha’s No.1 Odia Daily

 

Share