ଖ୍ରୀଷ୍ଟଚର୍ଚ୍ଚ,୨୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଯଦିଓ ବିଜୟର ନିକଟତର ହୋଇ ମଧ୍ୟ ଟିମ ଇଣ୍ଡିଆକୁ ସଫଳତା ମିଳି ନ ଥିଲା, ତଥାପି ମ୍ୟାଚ ଡ୍ର’ ରଖିବାରେ ଦଳ ସଫଳ ହୋଇଥିଲା। ଅନଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇ ଭଲ ପ୍ରଦର୍ଶନ କରିପାରିବ ବୋଲି ଏହି ମ୍ୟାଚ ପ୍ରମାଣିତ କରିଛି।
ଏବେ ସମସ୍ତଙ୍କ ନଜର ଖ୍ରୀଷ୍ଟଚର୍ଚ୍ଚରେ ହେବାକୁ ଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଉପରେ। ତେବେ ଏହି ମ୍ୟାଚ୍ରେ ଭାରତୀୟ ଦଳର ବିଜୟ ରାସ୍ତାରେ କଣ୍ଟା ସାଜିପାରନ୍ତି ନ୍ୟୁଜିଲାଣ୍ଡର ଦୁଇ ଘାତକ ଦ୍ରୁତ ବୋଲର ମ୍ୟାଟ ହେନରୀ ଓ କାଇଲ ଜାମିସନ।
ନଭେମ୍ବର ୨୭ ତାରିଖରୁ ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଦୀର୍ଘ ୬ ବର୍ଷରୁ ଅଧିକ ସମୟ ପରେ ଏହି ମଇଦାନରେ ଟେଷ୍ଟ ଖେଳିବାକୁ ଓହ୍ଲାଇବ ଟିମ ଇଣ୍ଡିଆ। ୨୦୨୦ ଗସ୍ତରେ ଭାରତ ଏଠାରେ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିଲା ଏବଂ ସେଥିରେ ପରାଜୟର ସାମ୍ନା କରିଥିଲା। ଏଥର ଭାରତ ପାଖରେ ପୂର୍ବ ପରାଜୟର ବଦଲା ନେବା ସହ ସିରିଜ ଜିତିବାର ସୁଯୋଗ ରହିଛି। କିନ୍ତୁ ଘରୋଇ ମାଟିରେ ନ୍ୟୁଜିଲାଣ୍ଡର ଦୁଇ ଅଭିଜ୍ଞ ପେସର ମ୍ୟାଟ ହେନରୀ ଓ କାଇଲ ଜାମିସନ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି।
ପ୍ରଥମ ଟେଷ୍ଟରେ ୱେଲିଂଟନ ପିଚ ବ୍ୟାଟରଙ୍କୁ ସୁହାଉଥିବାରୁ ଏହି ଦୁଇ ବୋଲର ବିଶେଷ ପ୍ରଭାବ ପକାଇପାରି ନଥିଲେ। ଉଭୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। କିନ୍ତୁ ହେଗଲି ଓଭାଲର ପରିସ୍ଥିତି ଭିନ୍ନ ହୋଇପାରେ। ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ଏହି ମଇଦାନରେ ରେକର୍ଡ ବେଶ ଦମଦାର। ସେ ହେଗଲି ଓଭାଲରେ ୮ଟି ମ୍ୟାଚ୍ର ୧୬ଟି ଇନିଂସରେ ମୋଟ ୪୦ଟି ୱିକେଟ ନେଇଛନ୍ତି। ଏଠାରେ ତାଙ୍କ ବୋଲିଂ ହାର ରହିଛି ୨୩.୩୨। ବର୍ତ୍ତମାନ ସକ୍ରିୟ ବୋଲରଙ୍କ ମଧ୍ୟରେ ଏହି ମଇଦାନରେ ସର୍ବାଧିକ ଉଇକେଟ ତାଙ୍କ ନାମରେ ରହିଛି।
ମ୍ୟାଟ ହେନରୀଙ୍କ ପରେ ଭାରତ ପାଇଁ ଦ୍ୱିତୀୟ ବଡ଼ ଚ୍ୟାଲେଞ୍ଜ ହେଉଛନ୍ତି କାଇଲ ଜାମିସନ। ଲମ୍ବା କଦର ଏହି ଦ୍ରୁତ ବୋଲର ହେଗଲି ଓଭାଲରେ ମାତ୍ର ୫ଟି ମ୍ୟାଚ ଖେଳି ୧୦ଟି ଇନିଂସରେ ୨୮ଟି ଉଇକେଟ ଅକ୍ତିଆର କରିଛନ୍ତି। ଏହି ମଇଦାନରେ ତାଙ୍କ ବୋଲିଂ ହାର ମାତ୍ର ୧୭.୫୭ ରହିଛି। ଏହାବ୍ୟତୀତ ନ୍ୟୁଜିଲାଣ୍ଡର ଆଉ ଜଣେ ବୋଲର ଜ୍ୟାକବ ଡଫି ମଧ୍ୟ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ସେ ଏହି ମଇଦାନରେ ମାତ୍ର ଗୋଟିଏ ମ୍ୟାଚ ଖେଳି ୮ଟି ଉଇକେଟ ନେଇଥିବା ରେକର୍ଡ ରହିଛି।
ତେଣୁ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ପାଇଁ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ଆକ୍ରମଣ ବଡ଼ ପରୀକ୍ଷା ହେବ। ଘରୋଇ ଦଳର ବୋଲରଙ୍କୁ ସଫଳତାର ସହ ମୁକାବିଲା କରିପାରିଲେ ହିଁ ଭାରତ ପାଇଁ ସିରିଜ ବିଜୟର ସ୍ବପ୍ନ ସାକାର ହୋଇପାରିବ।