‘କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବେ ବୋଲ୍‌ସୋନାରୋ’

ବ୍ରାସିଲିଆ,୪।୨: ବ୍ରାଜିଲ ସାଧାରଣ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହିଂସାମତ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦଙ୍ଗା ଷଡ଼ଯନ୍ତ୍ରକାରୀ ରୂପେ ବୋଲ୍‌ସୋନାରୋଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ସେ ଗତ ଡିସେମ୍ବର ଶେଷ ଆଡ଼କୁ ଆମେରିକା ଚାଲିଯାଇଥିଲେ। ୨୦୧୮ରେ ସେ ଛୁରାମାଡ଼ର ଶିକାର ହେବା ପରେ ସୃଷ୍ଟି ହୋଇଥିବା କ୍ଷତର ଉପଶମ ଲାଗି ଫ୍ଲୋରିଡାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଏକ ଫଟୋ ଟୁଇଟ୍‌ କରିଥିଲେ। ଓର୍ଲାଣ୍ଡୋର ଡେଜରଲାଣ୍ଡ ରେଷ୍ଟୁରାଣ୍ଟରେ ଥିବା ଆମ୍ୟୁଜମେଣ୍ଟ ପାର୍କରେ ତାଙ୍କ ସହ ମହିଳାମାନେ ସେଲ୍ଫି ନେଉଥିବା ଫଟୋ ଭାଇରାଲ ହୋଇଛି। ଆମେରିକୀୟ ଆଇନ ପ୍ରଣେତାମାନେ ତାଙ୍କୁ ବିଦାକରିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିକଟରେ ଦାବି କରୁଛନ୍ତି। କିନ୍ତୁ ଆଉ ୬ ମାସ ଆମେରିକାରେ ରହିବା ପାଇଁ ଆଗ୍ରହୀ ବୋଲ୍‌ସୋନାରୋ ନିଜ ଭିଜା ଅବଧି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି। ଏନେଇ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲ୍‌ଭା କହିଛନ୍ତି, ନାଗରିକ ବୋଲ୍‌ସୋନାରୋ ଏକ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏକଥା ମୁଁ ଦୃଢ଼ ଓ ସ୍ପଷ୍ଟ ଭାବେ ପ୍ରକାଶ କରୁଛି। ଏପରି କି ଜାନୁୟାରୀ ୮ରେ ସରକାରୀ ଅଫିସଗୁଡ଼ିକରେ ନିଜ ସମର୍ଥକମାନଙ୍କ ସହ ପଶିବା ସହ ଭଙ୍ଗାରୁଜା ଯୋଜନା ମଧ୍ୟ ସେ କରିଥିଲେ। ସେ ଏବେ ବି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୈଳୀରେ କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବାକୁ ଉଦ୍ୟମ କରୁଥିବା ଲୁଲା ଅଭିଯୋଗ ଆଣିଛନ୍ତି।

Share