ଏ ବର୍ଷ ହେବନି ବିଦ୍ୟୁତ୍‌ କାଟ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଚଳିତ ବର୍ଷ ବିଦ୍ୟୁତ୍‌ କାଟ ହେବ ନାହିଁ। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଷୟିକ ତ୍ରୁଟି ପାଇଁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ ସେବା ବନ୍ଦ କରାଯାଇପାରେ। ମାତ୍ର ବିଦ୍ୟୁତ୍‌ କାଟର କୌଣସି ସମ୍ଭାବନା ନାହିଁ। ରାଜ୍ୟର ଆବଶ୍ୟକତା ଅନୁଯାୟୀ ବିଜୁଳି ଯୋଗାଇ ଦିଆଯାଉଛି। ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୭୯୨୦ ମେଗାଓ୍ବାଟ ହୋଇଥିବା ବେଳେ ପିକ୍‌ ଆଓ୍ବାରରେ ୪୫୦୦ରୁ ୫୦୦୦ ମେଗାଓ୍ବାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ରହୁଛି। ବିଦ୍ୟୁତ୍‌ କାଟ ହେବା ନେଇ କେତେକ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।