ଦାନା ବାନ୍ଧୁଛି ବତ୍ୟା: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ସମୁଦ୍ରରେ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଦାନା ବାନ୍ଧୁଛି। ଏବେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଲଘୁଚାପ ରୂପରେ ରହିଛି। ଆଗାମୀ କିଛି ଘଣ୍ଟାରେ ଏହା ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ କରାଯାଇଛି। ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ୨୪ରୁ ୨୫ ତାରିଖ ଭିତରେ ଅର୍ଥାତ୍‌ ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବେଗ ମଧ୍ୟ ବଢିବ। ତେଣୁ ୨୪ ତାରିଖରେ ୫ ଜିଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର।
ଏହା ସହ ୨୫ ତାରିଖରେ ଉତ୍ତର ଉପକୂଳର ୩ ଜିଲାରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବୋହିବାର ଆକଳନ କରାଯାଇଛି।