ଶଗଡ଼ିଆ ନାଳ ଉପରେ ହେବ ପୋଲ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ସରପାଳ ଗ୍ରାମରୁ ଟାଙ୍ଗିରୀକୁ ନିର୍ମାଣ ହେଉଥିବା ଏକ ରାସ୍ତାରେ ଥିବା ନାଳ ଉପରେ ପୋଲ ତିଆରି କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଗୁରୁବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ସରପାଳରେ ୨ଶହରୁ ଅଧିକ ପରିବାର ବସବାସ କରୁଛନ୍ତି। ହେଲେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ କରିବାକୁ ହେଲେ ଦୀର୍ଘ ୧୨ କି.ମି. ରାସ୍ତା ବୁଲି କରି ଆସିବାକୁ ପଡୁଛି। ଟାଙ୍ଗିରୀରୁ ସରପାଳକୁ ଏକ ରାସ୍ତା କରିବା ପାଇଁ ଦୀର୍ଘଦିନ ହେଲା ସରପାଳ ଗ୍ରାମବାସୀ ଦାବି କରିଆସୁଥିଲେ। ଏ ନେଇ ଟାଙ୍ଗିରୀ ସରପଞ୍ଚ ଅମରେଶ କୁମାର ନାଥ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଟାଙ୍ଗିରୀରୁ ସରପାଳକୁ ଏକ ମାଟି ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଉକ୍ତ ରାସ୍ତାରେ ୨୦ଫୁଟ ଗଭୀରର ଶଗଡିଆ ନାଳ ପ୍ରତିବନ୍ଧକ ସାଜିବାରୁ ପୋଲ ନିର୍ମାଣ ପାଇଁ ସରପଞ୍ଚ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଟାଙ୍ଗିରୀ ପଞ୍ଚାୟତ ଗସ୍ତ କରି ପ୍ରଥମେ ମା’ଉମାଦେବୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ ଟାଙ୍ଗିରୀରୁ ସରପାଳ ରାସ୍ତା କାର୍ଯ୍ୟ ବୁଲି ଦେଖି ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଥିଲେ। ବିଧାୟକଙ୍କ ସହ ଜିଲାପରିଷଦ ସଦସ୍ୟ ନଗେନ୍ଦ୍ର କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମିତିସଭ୍ୟ ମହେଶ୍ୱର ମାଝି, ରାକେଶ କୁମାର ନାଥ, ଶିମିଳିପାଳ ସରପଞ୍ଚ ଗିରିଶ କୁମାର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଦିଲୀପ କୁମାର ପ୍ରଧାନ, ଦୟାନିଧି ସାହୁ, ବିପିନ ନାଥ, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ଟାଙ୍ଗିରୀ, ସରପାଳ ଓ ପୁରୁଣାଗଡ ଅଞ୍ଚଳର କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।