ସମ୍ବଲପୁରରେ ହେବ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ

ସମ୍ବଲପୁର,୨୫ା୭(ବ୍ୟୁରୋ): ଓଡ଼ିଶାର ସମ୍ବଲପୁରଠାରେ ଖୁବ୍‌ଶୀଘ୍ର ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଫିଲ୍ମ ଷ୍ଟୁଡ଼ିଓ ସ୍ଥାପନ ହେବ। ଏହା ଦ୍ୱାରା ଜିଲାର କଳାକାରଙ୍କୁ ଉଚିତ ପ୍ଲାଟଫର୍ମ ମିଳିବ। ଏବେ ସିନେମାରେ ଗୀତ ଗାଇବାକୁ ସମ୍ବଲପୁର ଝିଅ ସିଦ୍ଧି ପ୍ରିୟଦର୍ଶିନୀଙ୍କୁ ସୁଯୋଗ ମିଳିଛି। ଆଗାମୀ ସିନେମାରେ ଆଉ ୪ଜଣ କଳାକାରଙ୍କୁ ପ୍ରତିଭା ଦେଖାଇବାକୁ ସୁଯୋଗ ଦିଆଯିବ ବୋଲି ପବ୍ଲିକ୍‌ ଲାଇବ୍ରେରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିନେମା ବିତରକ ପ୍ରସନ୍ନଜିତ ବି. ମିଶ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ, ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ଅଭିନୟ, ସଙ୍ଗୀତ ପ୍ରଭୃତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି ପ୍ରତିଭାମାନଙ୍କୁ ସିନେମାରେ ସୁଯୋଗ ଦେବା। ମୁଁ ଝାରସୁଗୁଡା ଜିଲା ବେଲପାହାଡ଼ ବାସିନ୍ଦା ତଥା ଗଙ୍ଗାଧର ମେହେର କଲେଜର ପୁରାତନ ଛାତ୍ର। ତେଣୁ ସମ୍ବଲପୁର ପ୍ରତି ମୋର ଦୁର୍ବଳତା ରହିଛି। ମୁମ୍ବାଇରେ ନିର୍ମାଣାଧୀନ ଓ ପ୍ରଶାଦ୍ଦ ରାୟ ମାଇକେଲଙ୍କ ନିର୍ଦ୍ଦେଶିତ ବହୁଭାଷୀ ସିନେମା ଇନ୍ତିଜାରରେ ସମ୍ବଲପୁରର ସିଦ୍ଧି ପ୍ରିୟଦର୍ଶିନୀ କଣ୍ଠଦାନ ସହିତ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ। ସିନେମାର କଷ୍ଟ୍ୟୁମ୍‌କୁ ସମ୍ବଲପୁରୀ ବସ୍ତ୍ର ଡିଜାଇନର ସମ୍ପ୍ରିତା ପଣ୍ଡା, ଶ୍ରେୟା ପୂଜାରୀ ସହଯୋଗ କରିଛନ୍ତି। ବଙ୍ଗଳା ସହିତ ତାମିଲ, ତେଲୁଗୁ, ଅସମିଆ ଓ ମାଲାୟଲାମ୍‌ ଭାଷାରେ ପରିକଳ୍ପିତ ଅନ୍ୟ ଏକ ଚଳଚ୍ଚିତ୍ର ଆରମ୍ଭ ହେବ। ବଙ୍ଗାଳି ଭାଷାର ଚଳଚିତ୍ର ଭାଲୋବାସାର୍‌ ଜର୍ନୋରେ ମଧ୍ୟ ସିଦ୍ଧିଙ୍କ ସହିତ ସମ୍ବଲପୁରର ଚାରି ଜଣ ପ୍ରତିଭାଙ୍କୁ ସୁଯୋଗ ମିଳିବ। ସିକ୍କିମ୍‌ ଓ ସିଲିଗୁଡ଼ିରେ ଏହାର ଶୁଟିଂ କରାଯିବ। ଦୁର୍ଗାପୂଜା ଆଗରୁ ଏହି ଚଳଚ୍ଚିତ୍ରର ଗୀତ ମୁକ୍ତି ଲାଭ କରିବ। ଆଗକୁ ଓଡ଼ିଆ ସିନେମା ପ୍ରଯୋଜନାର ଲକ୍ଷ୍ୟ ରହିଛି ବୋଲି ପ୍ରସନ୍ନଜିତ ସୂଚନା ଦେଇଥିଲେ। ସିଦ୍ଧି ପ୍ରିଦୟର୍ଶିନୀ କହିଥିଲେ, ଅଭିନୟ ଓ କଣ୍ଠଦାନର ସୁଯୋଗ ପାଇ ସେ ଅଭିଭୂତ। ଏଥିପାଇଁ ପ୍ରସନ୍ନଜିତ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ଖବରଦାତା ସମ୍ମିଳନୀରେ ସିଦ୍ଧିଙ୍କ ମା’ସୁପ୍ରଭା ଓ ବାପା ସମୀର ରଞ୍ଜନ, ଅଜା ପ୍ରଫୁଲ୍ଲ ହୋତା ଓ ଆଈ ଶୁଭଲକ୍ଷ୍ମୀ, ଫ୍ୟାଶନ୍‌ ଡିଜାଇନର ସମ୍ପ୍ରିତା ପଣ୍ଡା, ଶ୍ରେୟା ପୂଜାରୀଙ୍କ ସହିତ ଭାରତୀ ପଣ୍ଡା, ତୁଷାର ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।