ଚର୍ମବିଣ୍ଡି ରୋଗ ନେଇ ଲାଗିବ କଟକଣା

ଭୁବନେଶ୍ବର, ୫।୪(ବ୍ୟୁରୋ): ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଗତବର୍ଷ ସେପ୍ଟେମ୍ବରରୁ ଚର୍ମବିଣ୍ଡି ରୋଗ ଦେଖାଦେଇଛି। ବର୍ତ୍ତମାନ ସ୍ଥିତିରେ ଗୋମହିଷାଦିଙ୍କ କିଣାବିକା ଏବଂ ରାଜ୍ୟ ଭିତରେ ବାହାରେ ହେଉଥିବା ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସ୍ବାଇଁ ଭିଡିଓ କନ୍‌ଫରେନ୍ସରେ ସମସ୍ତ ଜିଲାର ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କଠାରୁ ଜିଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସମ୍ପର୍କରେ ବୁଝିଥିଲେ। କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସମ୍ପର୍କରେ ମତାମତ ଲୋଡ଼ିଛନ୍ତି। ବୈଠକରେ ସୀମାନ୍ତବର୍ତ୍ତୀ ଜିଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଛନ୍ତି ା ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି ା ସିଡିଭିଓ ଏବଂ ବରିଷ୍ଠ ଅଧିକାରୀଙ୍କ ମତାମତକୁ ତର୍ଜମାକରି ଖୁବ୍‌ଶୀଘ୍ର ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଚର୍ମବିଣ୍ଡି ରୋଗ ନ ବ୍ୟାପିବା ଦିଗରେ ପଦକ୍ଷେପ ନିଆଯିବ। ବିଭାଗ ପକ୍ଷରୁ ଗୋମହିଷାଦିଙ୍କ କିଣାବିକା ଏବଂ ଆନ୍ତଃରାଜ୍ୟ ଓ ରାଜ୍ୟ ବାହାରେ ପରିବହନ ଉପରେ ଜାରି କରାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।