Categories: ଜାତୀୟ

ଏସ୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…

ମୁମ୍ବାଇ, ୫।୫ : ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର ସମ୍ଭାବନା ରହିଛି। ଖବରରୁ ଜଣାଯାଇଛି ଯେ ଡିଭିଜନ ଗଠନ ସହିତ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ବାଚନ ଆୟୋଗ ତିନିମାସ ସମୟ ନେଇପାରନ୍ତି।

ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ୨୫ ଦିନରୁ ଅଧିକ ସମୟ ଲାଗିବାର ସମ୍ଭବାନା ରହିଛି। ଏଥି ସହିତ, ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ନିର୍ବାଚନ ଆୟୋଗ ଅତି କମରେ ୨୫ ଦିନ ନେବାର ଆଶା ରହିଛି। ଏହା ପରେ, ପରାମର୍ଶ କିମ୍ବା ଆପତ୍ତି ଗ୍ରହଣ ଲାଗି ପୁଣି ୧୫ ଦିନ ସମୟ ଲାଗିବ।

ତେଣୁ ଏହା ସ୍ପଷ୍ଟ ଯେ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। ଏହା ପରେ ନିର୍ବାଚନ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ବୁଧବାର ଶୀର୍ଷକୋର୍ଟ ଆସନ୍ତା ୨ ସପ୍ତାହ ମଧ୍ୟରେ ବିଏମସି ଏବଂ ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନର ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓବିସି ସଂରକ୍ଷଣ ଅନୁମୋଦନ ପରେ ହିଁ ରାଜ୍ୟ ସରକାର ନିର୍ବାଚନ କରିବେ ବୋଲି ପୂର୍ବରୁ କହିଥିଲେ। ଏହି ଆଦେଶର ସାମ୍ବିଧାନିକତା ପରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ସୂଚିତ କରି ନିର୍ବାଚନ କରିବାକୁ କହିଥିଲେ।

ପୂର୍ବରୁ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟର ମହାବିକାଶ ଆଘାଡି ମେଣ୍ଟ ସରକାର ପୂର୍ବତନ ମୁଖ୍ୟ ସଚିବ ଜୟନ୍ତ ବନଠିଆଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଓବିସି ସଂରକ୍ଷଣ ମାମଲା ଉପରେ କୋର୍ଟ ରୋକ ଲଗାଇଥିଲେ। ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ ଆୟୋଗ (ଏମଏସସିବିସି)ର ରିପୋର୍ଟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ସ୍ଥାନୀୟ ନିର୍ବାଚନରେ ୨୭ ପ୍ରତିଶତ ଓବିସି କୋଟା ସୁପାରିଶ କରିଥିଲା। ଅଦାଲତ କହିଥିଲେ ଯେ ତଥ୍ୟର ଅଧ୍ୟୟନ ଏବଂ ଅନୁସନ୍ଧାନ ବିନା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପରେ ମହାରାଷ୍ଟ୍ର ସରକାର ଓବିସିର ରାଜନୈତିକ ପଛୁଆ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ପୃଥକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ମହାରାଷ୍ଟ୍ରରେ ୨୦ ଟି ମ୍ୟୁନିସିପାଲିଟି କର୍ପୋରେଶନ, ୨୫ ଟି ଜିଲ୍ଲା ପରିଷଦ, ୨୮୫ ଟି ପଞ୍ଚାୟତ ସମିତି, ୨୧୦ ଟି ନଗର ପରିଷଦ ଏବଂ ୨୦୦୦ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ। ମ୍ୟୁନିସିପାଲିଟି କର୍ପୋରେଶନ ଗୁଡିକ ମଧ୍ୟରେ ମୁମ୍ବାଇ, ପୁଣେ, ଥାନେ, ନାସିକ, ନାଭି ମୁମ୍ବାଇ, ନାଗପୁର, କୋଲହାପୁର ଏବଂ ସୋଲାପୁର ଆଦି ରହିଛି।

Share