୩ ଜିଲାରେ ହେବ ୯ ମେଗା ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଜଳ ଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ଯାଜପୁର, ମାଲକାନଗିରି ଓ ନୟାଗଡ଼ ଜିଲାରେ ୯ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୧୩୪୧.୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଜିଲାର ୯ ବ୍ଲକ ଅଧୀନ ୧୩୨୨ ଗ୍ରାମର ୭ ଲକ୍ଷ ୫୪ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ। ପ୍ରକଳ୍ପଗୁଡ଼ିକ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ଶେଷରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ ଯାଜପୁର ଜିଲାରେ ୨ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଜିଲାର ବରୀ ବ୍ଲକ ୨୬ଟି ପଞ୍ଚାୟତ ଅନ୍ତର୍ଗତ ୯୧ ଗ୍ରାମର ୧,୪୦,୮୯୪ ଓ କୋରେଇ ବ୍ଲକ ୨୩ ପଞ୍ଚାୟତର ୧୫୯ ଗ୍ରାମର ପ୍ରାୟ ୧,୦୯,୦୯୩ ଲୋକ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ ହେବ। ଏଥିପାଇଁ ଆହ୍ବାନ କରାଯାଇଥିବା ୨୫୪ କୋଟି ୬୬ ଲକ୍ଷ ୨୦ ହଜାର ୫୪୨ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।
ସେହିପରି ଜଳ ଜୀବନ ମିଶନରେ ମାଲକାନଗିରି ଜିଲାରେ ୪ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେଥିରୁ ଖଇରପୁଟ ବ୍ଲକର ୮୭ ଗ୍ରାମର ୪୫,୯୭୫, ମାଲକାନଗିରି ବ୍ଲକର ୧୫ ପଞ୍ଚାୟତର ୧୦୬ ଗ୍ରାମର ୭୬,୯୬୮, ମାଥିଲି ବ୍ଲକର ୧୪୧ ଗ୍ରାମର ୯୪,୬୫୩ ଏବଂ କାଲିମେଳା ବ୍ଲକର ୧୧୯ ଗ୍ରାମର ୯୭,୦୨୪ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଉକ୍ତ ୪ ପ୍ରକଳ୍ପ ପାଇଁ ଡକାଯାଇଥିବା ୬୩୯ କୋଟି ୨୬ ଲକ୍ଷ ୯୦ ହଜାର ୨୨୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପଗୁଡ଼ିକ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ସେହିପରି ନୟାଗଡ଼ ଜିଲାରେ ୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉକ୍ତ ଜିଲାର ୩ ବ୍ଲକ ଅଧୀନରେ ଥିବା ୪୨ ପଞ୍ଚାୟତର ୬୧୯ ଗ୍ରାମରେ ବାସ କରୁଥିବା ୧,୯୪,୭୩୨ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ। ସେଥିରୁ ଗଣିଆ ବ୍ଲକ ଅଧୀନରେ ଥିବା ୯୨ ଗ୍ରାମର ୩୮,୫୦୬, ଦଶପଲ୍ଲା ବ୍ଲକର ୩୬୯ ଗ୍ରାମର ପ୍ରାୟ ୯୭,୦୦୨ ଓ ନୂଆଗାଁ ବ୍ଲକର ୧୫୮ ଗ୍ରାମର ପ୍ରାୟ ୫୯, ୨୨୪ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ। ଉକ୍ତ ପ୍ରକଳ୍ପ ପାଇଁ ଆହ୍ବାନ କରାଯାଇଥିବା ୩୯୩ କୋଟି ୯୩ ଲକ୍ଷ ୧୮ ହଜାର ୬୯୧ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।