Categories: ଜାତୀୟ

ଏଲ୍‌ଏସିରେ ହେବ ୪୭ ଆଉଟ୍‌ପୋଷ୍ଟ

ନୂଆଦିଲ୍ଲୀ, ୨୫ା୧୦: ଏଲ୍‌ଏସିକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। କୂଟନୈତିକ ଆଲୋଚନା ପରେ ଆଲୋଚନା ହେଉଥିଲେ ହେଁ କୌଣସି ସୁଫଳ ମିଳୁନି। ଏଭଳି ସ୍ଥିତିରେ ଦୁଇଦେଶ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ବିଶେଷକରି ଗଲ୍‌ଓ୍ବାନରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେକାର ସ୍ଥିତି ଜଟିଳ ରୂପ ଧାରଣ କରିଛି। ଉଭୟ ଦେଶ ସୀମାରେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି। ଭାରତ ମଧ୍ୟ ପ୍ରସ୍ତୁତିପର୍ବକୁ ଜୋର୍‌ଦାର କରିଛି। ସୀମାରେ ୪୭ ଆଉଟ୍‌ ପୋଷ୍ଟ ନିର୍ମାଣ ଲାଗି ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ସୀମାରେ କଡ଼ା ନଜର ରଖିବା ଲାଗି ଏହି ଆଉଟ୍‌ପୋଷ୍ଟର ଭୂମିକା ରହିବ।
ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଶନିବାର ଆଇଟିବିପିର ୫୯ତମ ରେଜିଂ ଡେ’ ପରେଡ୍‌ ଅବସରରେ ଏଭଳି ଘୋଷଣା କରିଛନ୍ତି। ଆଇଟିବିପି ପକ୍ଷରୁ ଭାରତ-ଚାଇନା ୩,୪୮୮ କି.ମି. ସୀମାଞ୍ଚଳ ଉପରେ ନଜର ରଖାଯାଇଥାଏ। ଆଇଟିବିପିକୁ ଏଥିସହ ୨୮ ପ୍ରକାର ନୂଆ ଗାଡ଼ି ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ରେଡ୍ଡୀ ଅଭିଭାଷଣରେ କହିଥିଲେ ଯେ, ଆମେ ବସୁଧୈବକୁଟୁମ୍ବକମ୍‌ରେ ବିଶ୍ୱାସ କରୁ। ହେଲେ ନିଜକୁ ସଶକ୍ତ କରିବାରେ ଓ ବିଶ୍ୱଶାନ୍ତି ଲାଗି ମାର୍ଗ ପ୍ରସ୍ତୁତ କରିବାରେ କିଛି ଅସୁବିଧା ନାହିଁ। ସୀମାରେ ଆଇଟିବିପି ଯବାନଙ୍କ ମନୋବଳ ଦୃଢ଼ ରହିଥିବା ସେ ପ୍ରକାଶ କରିଥିଲେ। ଦେଶ ମାତୃକାର ସେବାରେ ସେମାନଙ୍କର ବଳିଷ୍ଠ ଭୂମିକା ରହିଆସିଛି। ସୀମା ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେବା ସହ ବିସ୍ତାରବାଦୀ ଶକ୍ତିକୁ ରୋକିବା ଲାଗି ସମସ୍ତ ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।

Share