ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍ଜିଦ ନିର୍ମାଣ ଲାଗି ଜିଲାରେ ବିକଳ୍ପ ଜମି ଯୋଗାଇଦେବା ପାଇଁ ମୁସଲମାନ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କୁ ନିବେଦନ କରିପାରିବେ ବୋଲି ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଭୋଜଶାଳା ମନ୍ଦିର-କମଲ ମୌଲା ମସ୍ଜିଦ କମ୍ପ୍ଲେକ୍ସ ବିବାଦ ଉପରେ ରାୟ ଦେଇ ହାଇକୋର୍ଟ କହିଛନ୍ତି, ସେଠାରେ ସଂସ୍କୃତ ଶିକ୍ଷାକେନ୍ଦ୍ର ଏବଂ ଦେବୀ ସରସ୍ବତୀଙ୍କ ମନ୍ଦିର ଥିବାର ସଙ୍କେତ ମିଳିଛି।
ଜିଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ୱାରା ସୁରକ୍ଷିତ କୀର୍ତ୍ତିରାଜିର ଧର୍ମୀୟ ସ୍ବରୂପକୁ ନେଇ ବିବାଦ ରହିଆସିଛି। ହିନ୍ଦୁମାନେ ଭୋଜଶାଳାକୁ ବାଗ୍ଦେବୀ (ଦେବୀ ସରସ୍ବତୀ)ଙ୍କ ମନ୍ଦିର ବିବେଚନା କରୁଥିବାବେଳେ ମୁସଲମାନ ପକ୍ଷ ଏହାକୁ କମଲ ମୌଲା ମସ୍ଜିଦ କୀର୍ତ୍ତିରାଜି ବୋଲି କହିଆସୁଛନ୍ତି। ଅନ୍ୟପକ୍ଷରେ ଉକ୍ତ ବିବାଦୀୟ କମ୍ପ୍ଲେକ୍ସ ମଧ୍ୟଯୁଗର ଏକ ଜୈନ ମନ୍ଦିର ବୋଲି ପିଟିଶନ ଦାଏର କରିଥିବା ଜୈନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଦାବି କରିଛନ୍ତି। ବିବାଦ ଜୋର୍ ଧରିବା ପରେ ଏଏସ୍ଆଇ ୨୦୦୩ ଏପ୍ରିଲ ୭ରେ ଏକ ନିର୍ଦ୍ଦେଶନାମା ଜାରି କରି ହିନ୍ଦୁମାନେ ପ୍ରତି ମଙ୍ଗଳବାରେ ସେଠାରେ ପୂଜା କରିବାକୁ ଏବଂ ମୁସଲମାନମାନେ ପ୍ରତି ଶୁକ୍ରବାର ନମାଜ ପାଠ କରିବାକୁ ଅନୁମତି ଦେଇଥିଲା। ହିନ୍ଦୁ ପକ୍ଷ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କମ୍ପ୍ଲେକ୍ସରେ ଏକଚାଟିଆ ପୂଜା କରିବା ଅଧିକାର ଦାବି କରିଥିଲେ। ଗତ ଏପ୍ରିଲ ୬ରୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍ ଏହାର କ୍ରମାଗତ ଶୁଣାଣି ଆରମ୍ଭ କରିଥିଲେ। ଧର୍ମବିଶ୍ୱାସ, ଐତିହାସିକ ଦାବି, କମ୍ପ୍ଲେକ୍ସର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସବୁପକ୍ଷଙ୍କ ଯୁକ୍ତି ଶୁଣିବା ସହ ବିବାଦୀୟ କୀର୍ତ୍ତିରାଜି ସମ୍ପର୍କିତ ଦସ୍ତାବିଜ୍ଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଗତ ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।