ସ୍ତ୍ରୀଙ୍କ ସହ ହେଲା ଝଗଡ଼ା, ରାଗି କି ପ୍ରଧାନଶିକ୍ଷକ ସ୍କୁଲକୁ କଲେ ଏମିତି

ଲକ୍ଷ୍ନୌ,୩ା୧୦: ଉତ୍ତରପ୍ରଦେଶର ହରଦୋଇ ଜିଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରଧାନଶିକ୍ଷକ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍କୁଲକୁ ନିଜର ଘର କରି ଦେଇଛନ୍ତି। ସେ ସ୍କୁଲ କୋଠରିରେ ବେଡ୍‌ ସହ ଜରୁରୀ ସାମଗ୍ରୀ ସବୁ ରଖିଛନ୍ତି। ଖାଲି ଏତିକି ନୁହେଁ, ସ୍କୁଲରେ ସେ ମଦ ପିଉଥିବା ଅଭିଯୋଗ ମଧ୍ୟ ହେଉଛି।

ଶିକ୍ଷକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ପରେ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ପୂରା ମାମଲାର ଯାଞ୍ଚ କରୁଛନ୍ତି ବ୍ଲକ ଶିକ୍ଷାଧିକାରୀ।

ସ୍କୁଲ କୋଠରିରେ ଏକ ବେଡ୍‌ ପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଖଟ ଉପରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି କୋଠରିରେ ଟିଭି ଲାଗିଥିବା ବେଳେ ଚେୟାର ବି ପଡ଼ିଛି। ତଦନ୍ତରୁ ଚଣାପଡ଼ିଛି, ମାହିମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର କୁମାର ସ୍କୁଲ କୋଠରିକୁ ବିଳାସମୟ କୋଠରିରେ ପରିଣତ କରିଛନ୍ତି। କାରଣ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ଆସି ସେ ସ୍କୁଲକୁ ଅକ୍ତିଆର କରିଛନ୍ତି। ଅଭିଯୋଗ ଉଠିବା ପରେ ସମସ୍ତ ଘଟଣାର ଯାଞ୍ଚ କରାଯାଉଛି।

Share