କୋଲ୍କାତା, ୨୮ା୧୧: ବିଶ୍ୱର ସର୍ବବୃହତ୍ ହେନ୍ତାଳ ବନ ତଥା ରୟାଲ ବେଙ୍ଗଲ ଟାଇଗରଙ୍କ ବାସସ୍ଥଳୀ ଭାବେ ପରିଚିତ ସୁନ୍ଦରବନର ଇତିହାସକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ପ୍ରଚଳିତ ଥିବା ଔପନିବେଶିକ ଧାରଣାକୁ ଭୁଲ୍ ପ୍ରମାଣିତ କରି ଏକ ନୂତନ ବୈଜ୍ଞାନିକ ଗବେଷଣା ଦାବି କରିଛି ଯେ ସୁନ୍ଦରବନ ଦ୍ୱୀପପୁଞ୍ଜରେ ଅତିକମ୍ରେ ୨,୦୦୦ ବର୍ଷ ପୂର୍ବରୁ ମାନବ ବସତି ରହିଥିଲା।
ସ୍କଟ୍ଲାଣ୍ଡର ସେଣ୍ଟ ଆଣ୍ଡ୍ର୍ୟୁଜ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱବିତ୍ ତଥା ମୁଖ୍ୟ ଗବେଷକ ଆୟୁଷ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଛି। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ସୁନ୍ଦରବନ ସର୍ବଦା ଏକ ଘଞ୍ଚ ଜଙ୍ଗଲ ହୋଇ ରହିଥିଲା ଏବଂ କେବଳ ବ୍ରିଟିଶ୍ ଶାସନ ସମୟରେ ହିଁ ଏଠାରେ ଲୋକଙ୍କୁ ଆଣି ବସତି ସ୍ଥାପନ କରାଯାଇଥିଲା। ତେବେ ଗବେଷକମାନେ ଏହି ଧାରଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ଏହି ଗବେଷଣାରେ ସୁନ୍ଦରବନର ଦୁଇଟି ଦ୍ୱୀପ ରାକ୍ଷସଖାଲି ଏବଂ ସୁରେନ୍ଦ୍ରଗଞ୍ଜର ବିଭିନ୍ନ ସ୍ଥାନରୁ ସଂଗୃହୀତ ବାଲି କଣିକାଗୁଡ଼ିକର ବୟସ ନିରୂପଣ କରିବା ପାଇଁ ଅତ୍ୟାଧୁନିକ ‘ଅପ୍ଟିକାଲି ଷ୍ଟିମୁଲେଟେଡ୍ ଲୁମିନେସେନ୍ସ’ (ଓଏସ୍ଏଲ୍) ପଦ୍ଧତି ବ୍ୟବହାର କରାଯାଇଥିଲା। ସାଧାରଣ ରେଡିଓ-କାର୍ବନ ଡେଟିଂ କେବଳ ଜୈବିକ ପଦାର୍ଥର ବୟସ ମାପିପାରୁଥିବା ବେଳେ ଓଏସ୍ଏଲ୍ ପଦ୍ଧତି ବାଲି କେତେ ପୁରୁଣା ଏବଂ କେବେ ଜମା ହୋଇଥିଲା ତାହା ଠିକ୍ ଭାବେ ଭାବେ ନିରୂପିତ କରିଥାଏ।
ଉକ୍ତ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ କିମ୍ବା ତା’ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ମଣିଷ ବସବାସ କରୁଥିଲେ।
ଗବେଷକ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ, ରାକ୍ଷସଖାଲି ଏବଂ ସୁରେନ୍ଦ୍ରଗଞ୍ଜ ଅଞ୍ଚଳରେ କୌଣସି ବିଚ୍ଛିନ୍ନ ବସତି ନ ଥିଲା, ବରଂ ଏହା ଏକ ବିଶାଳ ଓ ପରସ୍ପର ସହ ଜଡ଼ିତ ଜନବସତିର ଅଂଶବିଶେଷ ଥିଲା। ପରବର୍ତ୍ତୀ ସମୟରେ ନଦୀର ଗତିପଥ ପରିବର୍ତ୍ତନ ଏବଂ ସାମୁଦ୍ରିକ ଜୁଆର ପ୍ରକ୍ରିୟା ଯୋଗୁ ଏହି ବିଶାଳ ଅଞ୍ଚଳଟି ଛୋଟ ଛୋଟ ଦ୍ୱୀପରେ ବିଭକ୍ତ ହୋଇଯାଇଥିଲା।
ସୂଚନାଯୋଗ୍ୟ, ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ପୋଖରୀ ଖୋଳିବା କିମ୍ବା ଚାଷ ଜମିରୁ ପ୍ରାଚୀନ ଟେରାକୋଟା ମୂର୍ତ୍ତି, ପଥର ମୂର୍ତ୍ତି ଏବଂ ମାଟିପାତ୍ରର ଭଗ୍ନାବଶେଷ ପାଇଛନ୍ତି। ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେଶନର ଗବେଷିକାଙ୍କ ମତରେ, ଓଏସ୍ଏଲ୍ ତଥ୍ୟ ଦର୍ଶାଉଛି ଯେ ଚତୁର୍ଥ କିମ୍ବା ପଞ୍ଚମ ଶତାବ୍ଦୀରୁ ଆରମ୍ଭକରି ପ୍ରାରମ୍ଭିକ ମଧ୍ୟଯୁଗ ପର୍ଯ୍ୟନ୍ତ ଏଠାରେ ନିରନ୍ତର ଜନବସତି ରହିଥିଲା। ଏହି ଆବିଷ୍କାର ବଙ୍ଗଳା ତ୍ରିକୋଣଭୂମିର ପ୍ରାଚୀନ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।