ମହାନଦୀରେ ଆସିପାରେ ଛୋଟ ଧରଣର ବନ୍ୟା

ଭୁବନେଶ୍ୱର୧୫।୯(ବ୍ୟୁରୋ): ହୀରାକୁଦ ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ଏଥିଯୋଗୁ ମଙ୍ଗଳବାର ହୀରାକୁଦ ଡ୍ୟାମର ୧୨ଟି ଗେଟ ଖୋଲା ଯାଇଥିଲ। ବୁଧବାର ଅପରାହ୍ନରେ ଆଉ ୬ଟି ଗେଟ ଖୋଲା ଯାଇଛି। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏଥିସହ ସେ କହିଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଏବେ ହୀରାକୁଦକୁ ୨.୫୮ କ୍ୟୁସେକ ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ ଜଳସ୍ତର ୬୨୮.୨୩ ଫୁଟ ରହିଛି । ଡ୍ୟାମ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି । ତେବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅଧିକ ଗେଟ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ ପାଣି ପାସ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଥିବା ଏସଆରସି କହିଛନ୍ତି ।