ରାସ୍ତାରେ ପାଣି, ଭାରରେ ବୁହା ହେଲେ ପ୍ରସୂତି

ଔପଦା,୩।୮(ଧରିତ୍ରୀ ପଣ୍ଡା)ବାଲେଶ୍ୱର ଜିଲାର ଔପଦା ବ୍ଲକର ରାଇରମଚନ୍ଦ୍ରପୁର ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଆଦିବାସୀ ଅଞ୍ଚଳ ରାଜସ୍ବ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ରାସ୍ତା ନ ଥିବାରୁ ଜଣେ ଆଦିବାସୀ ଗର୍ଭବତୀ ପ୍ରସବ ପରେ ଘରକୁ ଭାରରେ ବୁହା ହେଉଥିବା ଭିଡିଓ ଭାଇରାଲ ହୋଇଛି। କୁରାଢ଼ୀବସା ସାହିର ଚନ୍ଦନ ମୁର୍ମୁଙ୍କ ସ୍ତ୍ରୀ ଦାନଗିଙ୍କ ପ୍ରସବ କରାଇବା ପାଇଁ ପ୍ରାୟ ୩ ଦିନ ପୂର୍ବେ ସୋର ଡାକ୍ତରଖାନାକୁ ଯାଇଥିଲେ। ପ୍ରସବ ପରେ ମହିଳା ଜଣଙ୍କ ଘରକୁ ଫେରୁଥିବା ବେଳେ ସାହିକୁ ଭଲ ରାସ୍ତା ନ ଥିବାରୁ ଲଘୁଚାପ ପ୍ରଭାବରେ ପାହାଡ଼ରୁ ବନ୍ୟା ଜଳ ସେହି ରାସ୍ତାରେ ପ୍ରବାହିତ ହେଉଥିଲା। ଶେଷରେ ତାଙ୍କର ପରିବାର ଲୋକେ ଉପାୟ ଶୂନ୍ୟ ହୋଇ ପ୍ରସୂତିଙ୍କୁ ଏକ ପ୍ଲାଷ୍ଟିକ ଚୌକିରେ ବସାଇ ଭାର କରି ଦେଢ଼ କି.ମି. ରାସ୍ତା ଅତିକ୍ରମ କରି ଘରେ ପହଞ୍ଚାଇଥିଲେ। ଏହି ପଞ୍ଚାୟତ ଦୁଇ ଥର ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ମାନ୍ୟତା ପାଇଥିବା ବେଳେ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଭାରରେ ବୁହା ହେବା ଘଟଣା ଔପଦା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।