ନଜରରେ ୭ ନଂ.

ଯାଜପୁର ଅଫିସ,୧୩।୨: ୪ଟି ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ଦଶରଥପୁର ବ୍ଲକରେ ସ୍ଥିତି ଏଥର ସାମାନ୍ୟ ବଦଳିଛି। ଏଥର ଭୋଟର ମାଟିର ଦକ୍ଷ ନେତାକୁ ବାଛିବାକୁ ଅଣ୍ଟା ଭିଡିଛନ୍ତି। ଅସନ୍ତୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ କର୍ମୀମାନେ ବିଜେଡିକୁ ରୋକ ଲଗାଇବାକୁ ଅଘୋଷିତ ମେଣ୍ଟ କରୁଥିବା ସୂଚନା ମିଳୁଛି। ହେଲେ ଗତ ନିର୍ବାଚନରେ ଭାଜପା ଓ କଂଗ୍ରେସର ପ୍ରଦର୍ଶନକୁ ଦେଖିଲେ ନେତାଙ୍କ କର୍ମଫଳ ହିଁ ନିର୍ବାଚନୀ ବୈତରଣୀ ପାର ହେବାର ମାପଦଣ୍ଡ ହେବ ବୋଲି ମତପ୍ରକାଶ ପାଉଛି। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ବିଜୟୀ ୭ ନମ୍ବର ଜୋନ୍‌ରେ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହୋଇଛି।

୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ବର୍ଷ ରହିଥିବାରୁ ଚଳିତ ନିର୍ବାଚନରେ ଜିଲାପରିଷଦକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଜେଡିର ଦୁର୍ଗ କୁହାଯାଉଥିବା ଦଶରଥପୁର ବ୍ଲକରେ ପ୍ରଚାର ପାଇଁ ରଣନୀତି ଜୋର ଧରିଛି। ଏହି ବ୍ଲକର ୬ ଓ ୭ ନମ୍ବର ଜୋନ୍‌ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ୪ ଓ ୫ ନମ୍ବର ଜୋନ୍‌ ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଛି। ଏଥିପାଇଁ ଦଶରଥପୁର ବ୍ଲକର ୪ ଜୋନ୍‌କୁ ଅକ୍ତିଆର କରିବାକୁ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି। ଭାଜପା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ସହ ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜିଲା ପ୍ରତି ଅବହେଳା, ସ୍ଥାନୀୟ ନିଯୁକ୍ତି ସମସ୍ୟା, ନଗଡ଼ାରେ ଶିଶୁମୃତ୍ୟୁ ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର ଚଳାଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଭୋଟହାରକୁ ଅନୁଶୀଳନ କଲେ ବିଜେଡିକୁ ଭାଜପା କଡା ଟକ୍କର ଦେବାରେ ଲାଗିଛି। ୨୦୧୭ ନିର୍ବାଚନରେ ଦଶରଥପୁର ବ୍ଲକର ୪ ନମ୍ବର ଜୋନରେ ବିଜେଡି ୫୮%, ଭାଜପା ୩୯% ଓ କଂଗ୍ରେସ ୪% ଭୋଟ ନେଇଥିଲା। ୫ ନମ୍ବର ଜୋନରେ ବିଜେଡି ୫୭%, ଭାଜପା ୩୯% ଓ କଂଗ୍ରେସ ୪ %ରେ ରହିଥିଲା। ୬ ନମ୍ବର ଜୋନ୍‌ରେ ବିଜେଡି ୪୮%, ଭାଜପା ୪୧% ଓ କଂଗ୍ରେସ ୧୧% ଭୋଟ ପାଇଥିଲାବେଳେ ୭ ନମ୍ବର ଜୋନ୍‌ରେ ବିଜେଡି ୪୩%, ଭାଜପା ୫୨% ଓ କଂଗ୍ରେସକୁ ୭% ଭୋଟ ମିଳିଥିଲା। ଏହି ୭ ନମ୍ବର ଜୋନ୍‌ରେ ଭାଜପାରୁ ମାମିନା ମଲ୍ଲିକ ବିଜୟୀ ହୋଇଥିଲେ। ତେବେ ଏଥର ମାମିନା ୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥତ୍ନୀ ହୋଇଛନ୍ତି। ୭ ନମ୍ବର ଜୋନ୍‌ରେ ଭାଜପାର ଚିନ୍ମୟୀ ପାଣ୍ଡବ, ବିଜେଡିରେ ନିନାରାଣୀ ସାମଲ ଓ କଂଗ୍ରେସରୁ ଅମ୍ବିକା ରାଉତ ନିର୍ବାଚନ ଲଢୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଞ୍ଝାରପୁର ବିଧାନସଭା ଆସନରେ ବିଜେଡିକୁ ୫୫.୧୮% ଓ ଭାଜପାକୁ ୪୦.୩୭% ଭୋଟ ମିଳିଥିଲା। ସେହିପରି ଯାଜପୁର ବିଧାନସଭା ଆସନରେ ବିଜେଡି ୬୦.୨୪% ଓ ଭାଜପା ୩୫.୬୮% ଭୋଟ ହାତେଇଥିଲେ।

ଦଶରଥପୁର ବ୍ଲକର ପ୍ରାୟ ଅଧା ଅଞ୍ଚଳ ବିଞ୍ଝାରପୁର ଓ ଯାଜପୁର ବିଧାନସଭା ଆସନରେ ରହିଛି। ଏହି ଦୃଷ୍ଟିକୋଣରୁ ଏଠାରେ ବିଜେଡିର ଭୋଟହାର ଭାଜପାଠାରୁ ବହୁ ଅଧିକ ରହିଛି। ୨୦୧୯ରେ ଭାଜପାର ଯେଉଁ ସ୍ଥିତି ରହିଥିଲା ତାହା ଏବେ ବହୁମାତ୍ରାରେ ପରିବର୍ତ୍ତନ ହୋଇଛି। ଭାଜପା ସେତେଟା ସକ୍ରିୟ ନ ଥିଲା ଭଳି ମନେ ହେଉଛି। ତଥାପି ବିଜେଡିକୁ ପଛରେ ପକାଇ ଭାଜପା ଆଗକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ କଂଗ୍ରେସ ଟଣାଟଣିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଭୋଟର ଏଥର ଦଳକୁ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି ବୋଲି କୁହାଯାଉଛି। ନିଜନିଜ ଅଞ୍ଚଳରେ ଯେଉଁମାନେ ବିକାଶ କରିବାକୁ ଦକ୍ଷ ସେମାନେ ପ୍ରଥମ ପସନ୍ଦ ହେବେ ବୋଲି ଭୋଟର ମହଲରେ ଚର୍ଚ୍ଚା ହେଉଛି। ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବାଛିବାକୁ ଭୋଟର ଦକ୍ଷ ନେତା ଚାହୁଁଥିବା ମଧ୍ୟ ଆଲୋଚନା ହେଉଛି।