କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା ଦେଲାଣି। ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ପୋତା ସରି ଆଜକୁ ପ୍ରାୟ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜଳ ଯୋଗାଣ ହୋଇନାହିଁ। ଗାଁରେ ଲାଗିଥିବା ଏଲଆଇ ପୋଏଣ୍ଟ ପାଇପ ଭାଙ୍ଗିବାକୁ ବସିଲାଣି। ଗାଁ ଲୋକେ ଫ୍ଲୋରାଇଡଯୁକ୍ତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କରଙ୍ଗାଭଟା ଗାଁରେ ବସ୍ତି ସମେତ ବ୍ରାହ୍ମଣ ପଡା, ନାଏକପଡା, କଲୋନିପଡା ଓ ସ୍କୁଲପଡା ମିଶି ୩ ଶହ ପରିବାର ବସବାସ କରୁଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ବସ୍ତି ସମେତ ୪ଟି ପଡାକୁ ନେଇ ୭ଟି ନଳକୁଅ ରହିଛି। ସବୁ ନଳକୂଅରେ ଫ୍ଲୋରାଇଡ ଯୁକ୍ତ ପାଣି ରହିଥିବାରୁ ସରକାର ପକ୍ଷରୁ ନିଷିଧ ଘୋଷଣା କରିଛନ୍ତି। ପାଣିର ଅଭାବ ଯୋଗୁ ବା ଅନ୍ୟ ଉପାୟ ନ ଥିବାରୁ ଲୋକେ ବାଧ୍ୟହୋଇ ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ବସ୍ତି, ବ୍ରାହ୍ମଣପଡା, ନାଏକପଡା, କଲୋନିପଡାରେ ନଳକୂଅ ଅଛି। ହେଲେ ଫ୍ଲୋରାଇଡ ଯୁକ୍ତ ପାଣି ବାହରୁଛି। ସ୍କୁଲ ପଡାରେ ନଳକୂଅ ନାହିଁ। ସ୍କୁଲ ନଳକୂଅ ପାଣି ବ୍ୟବହାର କରୁଛନ୍ତି। ଶନିବାର ଅଧା ଦିନ, ରବିବାର ଓ ଛୁଟି ଦିନରେ ବିଦ୍ୟାଲୟ ଗେଟରେ ତାଲା ପଡୁଥିବାରୁ ସ୍କୁଲପଡାବାସୀ ମୁଡା କିମ୍ବା ଚହଲା ଖୋଲା ପାଣି ବ୍ୟବହାର କରୁଛନ୍ତି। ପାଣି ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଜଣାଇ ସାରିଲେଣି କୌଣସି ସୁଫଳ ମଳୁନାହିଁ। କୌଣସି ଚାଷୀଙ୍କ ବୋରୱେଲକୁ ପାଣି ପାଇଁ ଗଲେ ଚାଷୀ ପାଣି ଦେଉନାହାନ୍ତି ା ବିଦ୍ୟୁତ୍‌ ଦର ଯେଉଁ ରେଟରେ ବଢୁଛି କିଏ ବା ଚାଷୀ ବୋରୱେଲ ଚଲାଇ ପାଣି ଦେବ। ରୋକଠୋକ ମନା କରି ଦେଉଛନ୍ତ। ଅଧିକାଂଶ ଲୋକେ ନଇ ନାଳରେ ବାଲି କୂଅ କରି ପାଣି ଆଣି ବ୍ୟାବହାର କରୁଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ୭ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି। ୭ ଦିନରେ ପାଣି ସମସ୍ୟା ପ୍ରଶାସନ ସମାଧାନ ନ କଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଶୋଭାରାମ ନାଏକ, ରୁପଧର ମାଝି, ଜଗତ ନାଗ, ତେଜରାମ ନାଏକ, ଦୁର୍ଯ୍ୟଧନ ନାଏକ, ବଳି ନାଏକ, ଯଧିରାମ ନାଏକ, ବଳରାମ ନାଏକ, ବୁଦ୍ଧରାମ ନାଏକ ପ୍ରମୁଖ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।