ନିଜ ଅଞ୍ଚଳରେ କାମ ନାହିଁ, ଆନ୍ଧ୍ରମୁହାଁ ଶ୍ରମିକ

ପଟ୍ଟାଙ୍ଗୀ,୨୯ା୨(ଶରତ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁୁଥିବା କାମରେ ଶ୍ରମିକମାନେ ଉଚିତ ମଜୁରି ପାଉନାହାନ୍ତି। ନିଜ ଗ୍ରାମରେ ମଧ୍ୟ ସେମାନଙ୍କୁ କାମ ମିଳୁନାହିଁ। ଫଳରେ ସେମାନେ କାମପାଇଁ ବାହାର ରାଜ୍ୟମୁହାଁ ହେଉଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି କାମ ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କେତେକ ପଞ୍ଚାୟତର ଶ୍ରମିକମାନେ। ସେମାନେ ଆନ୍ଧ୍ରର ସାଲୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମେଶିନ ଦ୍ୱାରା କରାଯାଉଛି। ମେଟ୍‌ମାନେ ଗ୍ରାମଗୁଡିକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସେହି ଗ୍ରାମର ଲୋକଙ୍କୁ ଶ୍ରମିକ ଭାବେ ନ ନେଇ ଅନ୍ୟ ଗ୍ରାମରୁ ଲୋକଙ୍କୁ ଆଣି କାମ କରାଉଛନ୍ତି ବୋଲି ବ୍ଲକର ଗାଙ୍ଗରାଜପୁର, ଚନ୍ଦକା ଓ ସୁଙ୍କି ପଞ୍ଚାୟତର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉପରୋକ୍ତ ପଞ୍ଚାୟତର ଗ୍ରାମବାସୀ ନିକଟରେ ଅଟୋ ଯୋଗେ ସାଲୁର ବ୍ଲକକୁ ଯାଇ ସେଠାରୁ ଶ୍ରମିକଙ୍କୁ ନେଉଥିବା ଗାଡି ବିଭିନ୍ନ ସ୍ଥାନକୁ ଚାଲିଯାଇଥିବାରୁ ସେମାନେ ନିରାଶ ହୋଇ ଫେରିଥିଲେ। କାମ ପାଇଁ ଶ୍ରମିକମାନଙ୍କ ଏପରି ସ୍ଥିତି ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏମ୍‌ଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ଓ ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।