ରଥ ପାଇଁ କାଠ ନାହିଁ

ବାରିପଦା ଅଫିସ,୧୬।୪ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ମିଳୁନି। ଏନେଇ ରଥ ମହାପାତ୍ରଙ୍କ ସମେତ ନିୟୋଜିତ ଥିବା କାରିଗରମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ରଥ ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ୭ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ସମାଧାନ କରା ନ ଗଲେ ରଥ କାରିଗରମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।
ମହାପାତ୍ରଙ୍କଠାରୁ ପ୍ରକାଶ, ପ୍ରତିବର୍ଷ ରଥ ନିର୍ମାଣ ନିମନ୍ତେ ୪୫ଦିନ ପୂର୍ବରୁ ପ୍ରଶାସନକୁ ନୂତନ କାଠ ପାଇଁ ଚିଠା ପ୍ରଦାନ କରାଯାଇଥାଏ। ମାତ୍ର ଅଦ୍ୟାବଧି ଜଙ୍ଗଲରୁ କାଠ ଆସି ନ ଥିବାରୁ ରଥ ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ରଥ କାମରେ ବ୍ୟବହୃତ ହେଉଥିବା କାଠଗୁଡ଼ିକୁ ପୁନଃ ବ୍ୟବହାର ପାଇଁ ଅତିଯତ୍ନ ସହକାରେ ରଥ ଗୋଦାମରେ ରଖାଯାଇଥାଏ। ନୂତନ ଗୋଦାମ ନିର୍ମାଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ କିଛି ବିଚାର କରା ନ ଯାଇ ରଥ ଗୋଦାମ ଘରକୁ ଭାଙ୍ଗି ଦିଆଯାଇଛି। ରଥ କାଠଗୁଡିକୁ ଅସ୍ଥାୟୀ ପଲିଥିନ ଛାଉଣିରେ ରଖାହେବା ଦ୍ୱାରା ୬ ମାସ ମଧ୍ୟରେ କାଠଗୁଡ଼ିକ ଖରାବର୍ଷା ଖାଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ସେହିପରି ୨୦୧୬ରୁ ରଥ ଚକରେ ହାଲ ଚପାଇବାରେ ଅସୁବିଧା ହେଉଥିବାରୁ ନୂତନ ହାଲ ଯୋଗାଇବାକୁ ଲିଖିତ ଭାବେ ଜଣା ଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ମୁଖ୍ୟ ରଥ ମହାରଣା ରବୀନ୍ଦ୍ର ମହାରଣା କହିଛନ୍ତି ା ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ରଥକାମରେ ନିୟୋଜିତ ଥିବା ରଥ ବାର୍ଛିଆମାନଙ୍କୁ ସେବାୟତର ମାନ୍ୟତା ଘୋଷଣା କରାଯାଉ ନ ଥିବାରୁ ରଥ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି। ରଥ ମହାରଣାମାନଙ୍କର ଜାଗିରି ଜମିଗୁଡ଼ିକ ସୁବର୍ଣ୍ଣରେଖା କେନାଲରେ ଚାଲିଯାଇଛି। ଏଗୁଡ଼ିକୁ ସରକାରୀ ଜମି ଭାବି ଲୋକମାନେ ଜବରଦଖଲ କରି ଚାଷ କରୁଛନ୍ତି। ଜବର ଦଖଲ ହଟାଇବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ନ୍ୟାୟ ପ୍ରଦାନ କରାଯାଉନାହିଁ। ପ୍ରତିନିଧି ଦଳରେ ହରିଶ୍ଚନ୍ଦ୍ର ମହାରଣା, କ୍ଷୀତିଶ ଚନ୍ଦ୍ର ମହାରଣା, ଆଲୋକ ନାଥ ମହାରଣା, ହରିମୋହନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ା