କେନାଲରେ ଆସୁନି ପାଣି, ଶୁଖିଲା ପଡ଼ିଛି ଚାଷଜମି

ନାଉଗଁା ,୫ା୧୧(ସ୍ବ.ପ୍ର): ନାଉଗଁା ବ୍ଲକର ଚାଷୀମାନେ କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଏଠାକାର ଚାଷୀ ଠିକ୍‌ ସମୟରେ ଚାଷ କାର୍ଯ୍ୟ କରି ପାରି ନ ଥିଲେ। ବର୍ଷା ଅଭାବରୁ ଚାଷୀମାନେ ନିଜସ୍ବ ଉଦ୍ୟମରେ ଧାନ ରୋଇବା ପାଇଁ ତଳି ପକାଇଥିଲେ। ଜମି ପ୍ରସ୍ତୁତ କରି ଠିକ ତଳି ରୁଆ କାର୍ଯ୍ୟ ଆରମ୍ଭ ହେବାବେଳକୁ ଲଘୁଚାପଜନିତ ପ୍ରବଳ ବର୍ଷାରେ ଅନେକ ଚାଷୀଙ୍କ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ଏକ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ଏବେ ବି ପଡ଼ିଆ ପଡିଛି। ଅଧିକାଂଶ ଚାଷୀ ପୁରୀ ସମେତ ଜଗତ୍‌ସିଂହପୁର ଜିଲା ବିରିଡି, ରଘୁନାଥପୁରରୁ ଧାନ ତଳି କ୍ରୟ କରି ରୁଆ କାର୍ଯ୍ୟ କରିଥିଲେ। ଜମିର ଧାନ ଥୋଡ ବାହାରୁଥିବା ବେଳେ ବର୍ଷାଯୋଗୁ ନଷ୍ଟ ହୋଇଯାଇଥିବାରୁ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି। ଅପରପକ୍ଷେ ମୌସୁମୀ ଅପସରିଯିବା ପରେ ଅଣ ଜଳସେଚିତ ଚାଷ ଜମିରେ ପାଣି ପହଞ୍ଚତ୍ ପାରୁନାହିଁ। ଏହା ମଧ୍ୟ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି।
କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ଲକରେ ସମୁଦାୟ ୭ ହଜାର ୫୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଏ। ସେଥିରୁ ୩ ହଜାର ୨ଶହ ୧୩ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବାବେଳେ ୩ ହଜାର ୮ଶହ ୩୭ ହେକ୍ଟର ଚାଷ ଜମି ଅଣ ଜଳସେଚିତ ଅଟେ। ଜଳସେଚିତ ଜମି ମଧ୍ୟରୁ କେନାଲ ମାଧ୍ୟମରେ ୧ ହଜାର ୨ ଶହ ୧୬ ହେକ୍ଟର, ଉଠା ଜଳସେଚନ ମାଧ୍ୟମରେ ୧ ହଜାର ହେକ୍ଟର, ସାଲୋ ଟିଓଲ ମାଧ୍ୟମରେ ୬ ଶହ ୮୧ ହେକ୍ଟର, ଅନ୍ୟାନ୍ୟ ଜଳସେଚନ ମାଧ୍ୟମରେ ୩ଶହ ୧୧ ହେକ୍ଟର ଚାଷ ଜମି ଜଳ ସେଚିତ ହେଉଛି। କାଗଜ କଲମରେ ଉକ୍ତ ଜମିରେ ଜଳ ସେଚିତ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଅଧିକାଂଶ କେନାଲରେ ପାଣି ଆସୁ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ୯୨ ଉଠା ଜଳ ସେଚନ ପ୍ରକଳ୍ପ ମଧ୍ୟରୁ ୬୦ କାର୍ଯ୍ୟକ୍ଷମ ଥିବାବେଳେ ୩୨ ଅଚଳ ରହିଛି। ସେହିପରି ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳରେ ଥିବା ୫ ସ୍ଳୁଇସ୍‌ ଗେଟ ମଧ୍ୟରୁ ମାରେଡା,ଗାରୋଇ କାର୍ଯ୍ୟକ୍ଷମ ଥିବାବେଳେ ବାଂଶ,ଘୋଡାଂଶ ଓ ଗଜରାଜପୁର ଗେଟ୍‌ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଥୋଡ଼ ବାହାରିଥିତ୍ବା ଧାନରେ ପାଣିର ଆବଶ୍ୟକତା ଥିବାରୁ ଗଜରାଜପୁରଠାରେ କେତେଜଣ ଚାଷୀ ଗୋବରୀ ନାଳରେ ବନ୍ଧ ପକାଇ ପାଣିକୁ ଅଟକ ରଖି ଚାଷ ଜମିକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପାଣି ଅଟକ ରହିବା ଯୋଗୁ ଘୋଡାଂଶ, ନାଉଗଁା ,ବାଂଶ, ତିରୁଣା ପଞ୍ଚାୟତ ଦେଇ ଯାଇଥିବା ନାଳର ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହିଁ। କେନାଲ, ଉଠା ଜଳସେଚନ ପ୍ରକଳ୍ପ ଓ ସ୍ଲୁଇସ୍‌ ଗେଟ ଆଦି ଠିକ୍‌ ଭାବେ କାର୍ଯ୍ୟ କରୁଥିଲେ ଏସବୁ ଅସୁବିଧା ହୋଇ ନ ଥାନ୍ତା ବୋଲି କେତେଜଣ ଚାଷୀ ମତବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ଉତ୍ସଗୁଡ଼ିକୁ ସଚଳ କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ସହ ସଂଯୋଜକ ଅଶୋକ ସ୍ବାଇଁ ଓ ସୁବାସ ସ୍ବାଇଁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଦାସ କୁହନ୍ତି, ଜଳସେଚନ ସମ୍ପର୍କରେ ପାଣି ପଞ୍ଚାୟତଗୁଡ଼ିକ ବୁଝାଶୁଝା କରୁଛନ୍ତି। କିଛି ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ଯୋଗୁ ଜଳସେଚନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି।