କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି

ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ୩ ମାସରେ କାମ ଶେଷ ହେବାକୁ ଥିବାବେଳେ ୨ବର୍ଷ ପରେ ବି କାମ ଶେଷ ହୋଇ ପାରୁନି। ପୁଣି ଏଠାର ଖାତ ପୋତିବା ପାଇଁ କରାଯାଇଥିବା ନାମଫଳକ କେବଳ ନିର୍ମାଣ ହୋଇରହିଛି। ଏଥିରେ ରଙ୍ଗତୂଳି ବି ବାଜିନି। ତେବେ ସୂଚନାଫଳକରେ ତଥ୍ୟ ନ ଦେବାରୁ ଖାତ ପୋତିବାରେ ଅନିୟମିତତା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ସୂଚନାଫଳକ କରି ତଥ୍ୟ ନ ଦେବା କି ପ୍ରକାରର ବିକାଶ ବାର୍ତ୍ତା ବୋଲି ସାଧାରଣରେ ପ୍ରଶ୍ନ କରାଯାଇ ସମାଲୋଚନା କରାଯାଉଛି।
ଅଭିଯୋଗ ଅନୁସାରେ, ସରକାର ବିକାଶର ନାରା ଦେଉଛନ୍ତି। ସରକାରୀ ଅନୁଦାନ କିପରି ଠିକ୍‌ରେ ଖର୍ଚ୍ଚ ହେବ ସେଥିରେ ସହଯୋଗ କରିବାକୁ କହୁଛନ୍ତି। ହେଲେ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଏକ ଖାତ ପୋତିବାକୁ ୨୦୨୧ରେ ୯ ଲକ୍ଷ ମଞ୍ଜୁର ହୋଇଥିଲା। ଏହାର କାମ ୩ ମାସ ମଧ୍ୟରେ ହେବ ବୋଲି କୁହାଯାଇଥିଲା। ହେଲେ ୩ ମାସ ଯାଇ ୨ ବର୍ଷ ବିତିଯିବାକୁ ବସିଛି କାମ ଶେଷ ହେଉନି। ଇତିମଧ୍ୟରେ ଖାତ ପୋତିବାକୁ ୩ ଲକ୍ଷ ବିଲ୍‌ ହୋଇ ସାରିଥିବା କୁହାଯାଉଛି। ଅନ୍ୟପକ୍ଷେ ଖାତ ପୋତିବାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇ ନ ଥିଲେ ମଧ୍ୟ ତରବରିଆ ଭାବେ ବିଲ୍‌ କରାଯାଇଛି। ଖାତଠାରୁ ୧ କିମି ଦୂରରେ ଥିବା ଏକ ପୋଖରୀ ଖନନ ମାଟି ଆଣି ଖାଲର କିଛି ଅଂଶ ପୋତିଥିବା ଦେଖିବାକୁ ମିଳିଥିଲା। ବିଲ୍‌ ହୋଇ ସାରିବା ପରେ ଏକ ସିମେଣ୍ଟର ଫଳକ ନିର୍ମାଣ ହୋଇଛି। ତେବେ ଫଳକରେ ଖାତ ପୋତିବା ନେଇ କିଛି ସୂଚନା ନାହିଁ। ଯଦି ସୂଚନା ଦେବାରେ ଅସୁବିଧା ହେଉଛି ତେବେ ସୂଚନାଫଳକ କାହିଁକି ନିର୍ମାଣ କରାଯାଉଛି। ଯଦି ସୂଚନାଫଳକ ନିର୍ମାଣ କରାଯାଉଛି ତେବେ ସୂଚନା କାହିଁକି ଦିଆଯିବନି ବୋଲି ଅଭିଯୋଗ ହେଉଛି। ସୂଚନାଫଳକରେ ସୂଚନା ନ ଥିବାରୁ ଉନ୍ନୟନ କାର୍ଯ୍ୟଟି କେଉଁ ଯୋଜନାରୁ ହେଉଛି ଜାଣିବା କାଠିକର ପାଠ ହୋଇପଡୁଛି। ଏହାପଛରେ ମନ୍ଦ ଉଦ୍ଦେଶ୍ୟ ରହୁଥିବାରୁ ସୂଚନାଫଳକରେ ତଥ୍ୟ ଲେଖାଯାଉନି ବୋଲି କୁହାଯାଉଛି। ଏ ନେଇ ସାମାଜିକ କର୍ମୀ ଶାନ୍ତନୁ ବିଶୋଇ କୁହନ୍ତି, ସରକାରୀ ଅନୁଦାନ କେତେ ଆସୁଛି, କେଉଁ ଯୋଜନାରେ ଆସୁଛି, କେବେ କାମ ଆରମ୍ଭ ଓ ଶେଷ ସେ ନେଇ ବିବରଣୀ ସୂଚନାଫଳକରେ ରହିବା କଥା। ହେଲେ ସୂଚନାଫଳକ କରି ସୂଚନା ନ ଦେବା ଦୁର୍ନୀତି କରିବାର ସୂଚନା ଦେଉଛି। ପୁଣି ୩ ମାସର ଅବଧି ଥାଇ ରାସ୍ତାକୁ ୨ ବର୍ଷ ଭିତରେ ଶେଷ କାହିଁକି କରାଯାଉନି ତାହା ଅନୁରୂପ ସନ୍ଦେହ ସୃଷ୍ଟି କରୁଛି। ଖାତ ପୋତିବା କାର୍ଯ୍ୟରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେଉଥିଲେ ହେଁ ଏହାର ତଦନ୍ତ କରାଯାଉନି। ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରେ ଖାତ ପୋତାରେ ଦୁର୍ନୀତି ହୋଇଛି କି ନାହିଁ, କାହିଁକି ସୂଚନାଫଳକରେ ସୂଚନା ଲେଖାଯାଇନି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।