ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ସମ୍ବର୍ଦ୍ଧନା ଉତ୍ସବ ଓ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି। ରବିବାର ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ସମ୍ବର୍ଦ୍ଧନା ଉତ୍ସବ ଏବଂ ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଧାୟକ ନାୟକ ଡିସେମ୍ବର ମାସରେ ତିଲିସିଙ୍ଗି ଠାରେ ଅନୁଷ୍ଠିତ ମହସଭା ସମ୍ମିଳନୀକୁ ସଫଳ କରିଥିବା ସଂସ୍ଥାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଭଞ୍ଜନଗର ଅଞ୍ଚଳର ଐତିହାସିକ ଠାକୁରାଣୀ ଯାତ୍ରା, ରାଜ୍ୟ ବାର୍ ଆସୋସିଏଶନ ବୈଠକ, ରାଜ୍ୟ ସ୍ତରୀୟ ନାମଯଜ୍ଞ ଆୟୋଜନ ଭଞ୍ଜନଗରରେ ସଫଳତାର ସହ ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି କୁଲାଡର ବିକାଶ ପାଇଁ ୩୦ କୋଟି ଟଙ୍କାର ପ୍ରସ୍ତାବ ଯାଇଛି। ଆଗାମୀ ଦିନରେ ପ୍ରଥମ ପର୍ଯ୍ୟାୟ ଅର୍ଥ ଅନୁମୋଦନ ହେବ। ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଜିଗିରିର ବିକାଶ ପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଚକରା ଘାଟିର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ଆଉ କିଛି ଦିନ ପରେ ତାହା ଉଦ୍ଘାଟନ ହେବ। ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଚକରା ଘାଟି। ଭଞ୍ଜନଗରର ଆହୁରି ଅନେକ କିଛି ବିକାଶ ହେବ। ଏଥିସହ ଜାତିର ଗୌରବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଭୁବନେଶ୍ୱରରେ ପଟେଲ ଭବନ ନିର୍ମାଣ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ତାହାର ଅଗ୍ରଗତି ଚାଲିଛି। ଏଥିସହ ପ୍ରଦେଶ କୂଳ ଘର ନିର୍ମାଣ ପାଇଁ ସ୍ଥାନ ଚୟନ ପରେ ଏନେଇ ଏକ କୋଟି ଟଙ୍କା ଦେବି ବୋଲି ବିଧାୟକ ସଭାରେ ଘୋଷଣା କରିଥିଲେ। କୁଳର ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଆମମାନଙ୍କ ମଧ୍ୟରେ ଏକତା ରହିବାକୁ ପଡ଼ିବ। ଯେ କୌଣସି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କରିବାକୁ ପଡ଼ିବ। ତାହାହେଲେ ଯାଇ ଆମେ ଆଗକୁ ବଢ଼ିପାରିବା। ଗ୍ରାମ କମିଟି ବିଭିନ୍ନ ସମୟରେ ଛୋଟ ଛୋଟ ସମସ୍ୟାକୁ ଅନେକ ସମୟରେ ସମାଧାନ କରିବାରେ ଅବହେଳା କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ତାହା ବଢିଯାଉଛି। ତେଣୁ ଆମେମାନେ ସମସ୍ତେ ଏକତାର ମନୋଭାବ ନେଇ ଆଗକୁ ବଢ଼ିବାକୁ ପଡିବ ବୋଲି ବିଧାୟକ କହିଥିଲେ।
ବୈଠକରେ ପ୍ରଦେଶ ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପ୍ରଚାର ପ୍ରସାର ମନ୍ତ୍ରୀ ପଠାଣି ଭଞ୍ଜ, ସଭ୍ୟ ବଂଶୀଧର ନାୟକ, ପ୍ରଦେଶ ସମ୍ପାଦକ ବିଶ୍ୱନାଥ ରାଉତ, ପ୍ରଦେଶ ଉପ ସଭାପତି କଂଗ୍ରେସ ପ୍ରଧାନ, ରାଷ୍ଟ୍ରୀୟ ସଦସ୍ୟ
ଗଙ୍ଗାଧର ନାୟକ, ମିଡିଆ ସଂଯୋଜକ ନେତାଜୀ ବିଷୋୟୀ, ପ୍ରଦେଶ ସହ ସମ୍ପାଦକ ପ୍ରଶାନ୍ତ ସାହୁ, ସଂଗଠନ ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତା ସରୋଜ ରାଉଳ, ବୈଦ୍ୟନାଥ ପ୍ରଧାନ, ଆଇନ ପରାମର୍ଶଦାତା ଧବଳେଶ୍ବର ମାଝୀ, ଅଶ୍ବିନୀ ପ୍ରଧାନ, ରାଜେଶ ପ୍ରଧାନ, ସୂର୍ଯ୍ୟ ନାରାୟଣ ନାୟକ, ସମୀର ପ୍ରଧାନ, କୃଷ୍ଟ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।